ବିଲେଇକୁ ଗୁଳି ଘଟଣାରେ କଲେଜ ଛାତ୍ର ଗିରଫ, ଲାଗିଲା ଆର୍ମ୍ସ ଆକ୍ଟ
1 min read
ଭୁବନେଶ୍ୱର: ବିଲେଇ ହତ୍ୟାକାରୀ ଗିରଫ । ନିରୀହ ପ୍ରାଣୀକୁ ଗୁଳି କରି ହତ୍ୟା ଅଭିଯୋଗରେ ପୋଲିସ କଲେଜ ଛାତ୍ର ଆଶୁତୋଷ ନାୟକଙ୍କୁ ଗିରଫ କରିଛି । ଆଶୁତୋଷଙ୍କ ବିରୋଧରେ ଘରୋଇ ପଶୁଙ୍କୁ ହତ୍ୟା ଓ ଆର୍ମ୍ସ ଆକ୍ଟ ଆଦି ଲାଗିଛି ।

ବୁଧବାର ୟୁନିଟ୍-୪ ପୋଷ୍ଟାଲ କଲୋନୀର ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିଲେଇ ‘ପୁଷି’କୁ ଗୁଳି କରାଯାଇଥିଲା । ଏନେଇ ସୁଶାନ୍ତ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ସୁଶାନ୍ତଙ୍କ ପଡ଼ୋଶୀ ଆଶୁତୋଷ ନାୟକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ତେବେ, ଆଶୁତୋଷଙ୍କ ପାଖକୁ ଛର୍ରା ବନ୍ଧୁକ କେଉଁଠୁ ଆସିଲା । ତାହା ଲାଇସେନ୍ସପ୍ରାପ୍ତ କି ନୁହେଁ ? କେଉଁ କାରଣରୁ ସେ ନିରୀହ ପ୍ରାଣୀ ଉପରକୁ ଗୁଳି ଚଳାଇଲେ ? ଏବେ ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ସୁଶାନ୍ତଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପଡ଼ୋଶୀ ପୂର୍ବରୁ ତାଙ୍କର ଆଉ ୭ଟି ବିଲେଇକୁ ସମାନ ଢଙ୍ଗରେ ହତ୍ୟା କରିଛନ୍ତି ।
ଗତକାଲି ବିଲେଇଟି କ୍ଷୀର ପିଇ ଖେଳୁଥିବା ବେଳେ ହଠାତ୍ ଗୁଳି ଶବ୍ଦ ଶୁଭିଥିଲା । ସୁଶାନ୍ତ ଓ ତାଙ୍କ ମାଆ ଦୌଡ଼ି ଆସି ଦେଖିଲା ବେଳକୁ ବିଲେଇଟି ପାଚେରୀ ତଳକୁ ପଡ଼ିବା ସହ ଶରୀର ରକ୍ତାକ୍ତ ହୋଇଥିଲା । ତାକୁ ତୁରନ୍ତ ଓୟୁଏଟି ନିଆଯାଇଥିଲା । ହେଲେ, ବିଲେଇର ମୁଣ୍ଡରେ ୨ଟି ଗୁଳି ବାଜିଥିବାରୁ ତାର ମୃତ୍ୟୁ ହୋଇଥିଲା ।
https://nandighoshatv.comunknown-person-fired-to-a-cat-in-capital-city/
କିଛିଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇ ଜଣେ କ୍ୟାବ୍ ଡ୍ରାଇଭର ଗିରଫ ମଧ୍ୟ ହୋଇଥିଲେ ।
https://nandighoshatv.compolice-arrested-dog-killer/