ହାର୍ଦ୍ଦିକ ଅପହରଣରେ ଟଙ୍କା କ୍ଲାଇମାକ୍ସ, ସାଢ଼େ ୭ ଲକ୍ଷ ମାଗିଥିଲେ ୮ ଅଭିଯୁକ୍ତ
1 min readଗଜପତି: ଚର୍ଚ୍ଚିତ ୭ ବର୍ଷର ହାର୍ଦ୍ଦିକ ଅପହରଣ ଉପରୁ ପରଦା ଉଠାଇଲା ପୋଲିସ । ଗଜପତି ପୋଲିସ ହାର୍ଦ୍ଦିକ ଅପହରଣ ମାମଲାରେ ଜଣେ ନାବାଳକ ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅପହରଣ ପଛର କାରଣ ଟଙ୍କା ବୋଲି ସ୍ପଷ୍ଟ କରିଛି ପୋଲିସ । ବାପାଙ୍କ କାଜୁ ବ୍ୟବସାୟରୁ ପୁଅକୁ ଅପହରଣ ମାମଲାରେ ପୋଲିସ ହାତରେ ବଡ଼ ପ୍ରମାଣ ଲାଗିଥିବା ବେଳେ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ମାମଲାରେ କାଶୀନଗର ପୋଲିସ ସ୍ଥାନୀୟ ଅଞ୍ଚଳର କର୍ମୀ ଚୈତନ୍ୟ, ଗୁନାପୁ କଲ୍ୟାଣ କୁମାର, ପ୍ରଶାନ୍ତ ଲିମା, ବିନୋଦ ଲିମା, ରବି ମାଛ, ଜାକୋବ ମିଶାଲ, ପୂର୍ଣ୍ଣ ଚନ୍ଦ୍ର ସୌରାଙ୍କ ସହ ଜଣେ ନାବାଳକଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ନଗଦ ୨ ଲକ୍ଷ ୨୧ ହଜାର ୨୦୦ ଟଙ୍କା, ଗୋଟିଏ କାର, ୫ଟି ବାଇକ ସହ ଏକାଧିକ ମୋବାଇଲ ଜବତ କରିଛି ପୋଲିସ ।
ଏଥିସହ ପଢ଼ନ୍ତୁ- ବାଇକରେ ଆସି ବାପାକୁ ଖୋଜୁଥିଲେ, ପୁଅକୁ ଉଠାଇ ନେଲେ
ଗତ ଡିସେମ୍ବର ୧୬ ତାରିଖ ସନ୍ଧ୍ୟାରେ କାଶୀନଗରର ଜାମି ଗୋପୀଙ୍କ ପୁଅ ଘର ଆଗରେ ଖେଳୁଥିବା ବେଳେ ବାଇକରେ ଆସି ଦୁର୍ବୃତ୍ତ ଅପହରଣ କରି ନେଇଯାଇଥିଲେ । ପୂରା ଫିଲ୍ମ ଷ୍ଟାଇଲରେ ବାପା କେଉଁଠି ବୋଲି ପଚାରିବା ସହ ବାପାଙ୍କୁ ଦେଖାଇବାକୁ କହି ହାର୍ଦ୍ଦିକ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଆଉ ୧୮ ତାରିଖରେ ଘରଠାରୁ ୩ କିଲୋମିଟର ଦୂର କଇଠପଦରର ଜାମିଙ୍କ ନିର୍ମାଣାଧିନ ଘରୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲା ହାର୍ଦ୍ଦିକ । ପୋଲିସ ଏହି ମାମଲାରେ ଅପରାଧିକ ଗନ୍ଧ ବାରି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା ।
ଏଥିରେ ଗଜପତି ପୋଲିସକୁ ସଫଳତା ମିଳିଛି । ଗଜପତି ଏସପି ତପନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗଠିତ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଥିଲା । ପୋଲିସ ଅପହରଣ ମାମଲା ଉପରୁ ପରଦା ହଟାଇଛି । ଅପରାଧୀ ପ୍ରଥମେ ହାର୍ଦ୍ଦିକର ମୁଣ୍ଡଜାମିନ ରଖି ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ପରେ ୭ ଲକ୍ଷ ୫୦ ହଜାର ଟଙ୍କାରେ ଡିଲ୍ ତୁଟିଥିଲା । ଜାମି ଗୋପୀ ଜଣେ କାଜୁ ବ୍ୟବସାୟୀ ହୋଇଥିବାରୁ ପୁଅକୁ ଅପହରଣ କରି ବାପାଙ୍କୁ ଟଙ୍କା ମାଗିଥିଲେ ଅଭିଯୁକ୍ତ । ଅପହରଣରେ ନିଶାଦ୍ରବ୍ୟର ବ୍ୟବହାର କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ- ଅପହରଣର ୪୦ ଘଣ୍ଟା ପରେ ମିଳିଲା ହାର୍ଦ୍ଦିକ, ନିର୍ମାଣାଧିନ ଘରୁ ଉଦ୍ଧାର କଲେ ସମ୍ପର୍କୀୟ