ପୋଲାଭରମ ପ୍ରସଙ୍ଗରେ ଅନ୍ଧାରରେ ଓଡ଼ିଶା

ଭୁବନେଶ୍ବର : ସଂସଦରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀଙ୍କ ତଥ୍ୟକୁ ନେଇ ରାଜ୍ୟରେ ଝଡ଼। ଆନ୍ଧ୍ରପ୍ରଦେଶ ସରକାରଙ୍କ ସର୍ବେକ୍ଷଣ ଅନୁଯାୟୀ ଓଡ଼ିଶାରେ ୬୪୮.୦୫ ହେକ୍ଟର ଭୂମି ଜଳମଗ୍ନ ହେବ। ପ୍ରକଳ୍ପ ଯୋଗୁ ପଛୁଆ ଜଳ ଆସି ରାଜ୍ୟର ୧୦୨.୧୬ ହେକ୍ଟର ସଂରକ୍ଷିତ ଜଙ୍ଗଲ କ୍ଷତିଗ୍ରସ୍ତ ହେବ। ଗୋଟିଏ ପରେ ଗୋଟିଏ ନିୟମ ଉଲ୍ଲଂଘନ କରିଚାଲିଛି ଆନ୍ଧ୍ର। ସେପଟେ ହଜାର ହଜାର କୋଟି ଟଙ୍କା ଯୋଗାଇଦେଉଛନ୍ତି କେନ୍ଦ୍ର ସକାର। ହେଲେ ଓଡ଼ିଶାର କ୍ଷତିକୁ ନେଇ ସତ ତଥ୍ୟ ଦିଆଯାଉନାହିଁ। ଏହି ତଥ୍ୟ ସତ୍ୟ ଉପରେ ଆଧାରିତ ନୁହେଁ ବୋଲି କହିଛି ବିଜେଡି। ଆଜିଯାଏ କ୍ଷୟକ୍ଷତି ନେଇ ଫିଜିକାଲ ଭେରିଫିକେସନ ହୋଇନାହିଁ। ପଛୁଆ ବନ୍ୟାଜଳରେ ଆଠଟି ଗାଁ ବୁଡ଼ିବ ବୋଲି କହୁଛନ୍ତି। କିନ୍ତୁ ଏବେ ଅଦିନିଆ ବର୍ଷରେ ୨୦ ରୁ ୨୫ ଟି ଗାଁକୁ ପାଣି ଆସୁଛି। କେନ୍ଦ୍ର ନିକଟରେ ବିଜେଡି ଏ ପ୍ରସଙ୍ଗରେ ଜୋରଦାର ଦାବି ଉଠାଇଛି। କେନ୍ଦ୍ରର କୌଣସି ମନ୍ତ୍ରଣାଳୟ ପୋଲାଭରମ ନେଇ ସନ୍ତୋଷଜନକ ତଥ୍ୟ ଦେଇପାରିଲେ ନାହିଁ। କେନ୍ଦ୍ର ସରକାର ଆମକୁ ଅନ୍ଧକାରରେ ରଖନ୍ତୁ ନାହିଁ ବୋଲି ଦାବି କରିଛି ବିଜେଡି। ସେପଟେ ବିଜେପି ସରକାର କେନ୍ଦ୍ରୀୟ ଚାପରେ ନିରବ। ଆନ୍ଧ୍ରର ଟିଡିପି ସରକାରକୁ ନାରାଜ କରିବାକୁ ବିଜେପି ଚାହୁଁନି ବୋଲି ଅଭିଯୋଗ ହୋଇଛି। ତୁରନ୍ତ ସଠିକ ତଥ୍ୟ ସହ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କାମ କରିବାକୁ ଦାବି ରଖିଛି ବିଜେଡି। ସେପଟେ କଂଗ୍ରେସ ଓ ସିପିଏମ ମଧ୍ୟ ବିଜେପି ସରକାରଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି।

ସେପଟେ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରୁଥିବା ଜନ ସଂଗଠନ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ସଂସଦରେ କେନ୍ଦ୍ରମନ୍ତ୍ରୀ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଛି ଆମ ଜନତା ଅଧିକାର। ଆନ୍ଧ୍ର ସରକାରଙ୍କ ଆକଳନକୁ କେନ୍ଦ୍ର ସରକାର ଉପସ୍ଥାପନ କରିଥିବାବେଳେ ଓଡିଶା ଓ କେନ୍ଦ୍ର ସରକାର କାହିଁକି ସର୍ଭେ କରୁନାହାନ୍ତି ବୋଲି ଉଠିଛି ପ୍ରଶ୍ନ। କ୍ଷତି ପ୍ରସଙ୍ଗରେ ଓଡିଶା ସରକାର ହାଇଦ୍ରୋଲୋଜିକାଲ ଓ ଜିଓଲୋଜିକାଲ ସର୍ଭେ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଛି ସଂଗଠନ। କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଓଡିଶା ପାଇଁ ଥିବା ବିକଳ୍ପର କଥା କହିଛନ୍ତି। ପ୍ରଭାବିତ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବ୍ୟାପକ ବ୍ୟବସ୍ଥା, ନଦୀବନ୍ଧ ନିର୍ମାଣ କିମ୍ବା କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଥଇଥାନ ଓ ପୁନର୍ବାସ କ୍ଷୟକ୍ଷତି ଦାବି ବିକଳ୍ପ ରହିଛି ବୋଲି କୁହାଯାଇଛି। ପୋଲାଭରମ ପ୍ରସଙ୍ଗରେ ଅନ୍ଧକାରକୁ ଠେଲି ହୋଇୟାଇଛି ରାଜ୍ଯବାସୀଙ୍କ ଭାଗ୍ୟ।