ପିଜୁଳି ଚାଷ ଦେଉଛି ରୋଜଗାର: ୫ ହଜାରରୁ ଅଧିକ ଗଛ ଲଗାଇ ଅନ୍ୟ ପାଇଁ ସୃଷ୍ଟି କରୁଛନ୍ତି ନିଯୁକ୍ତି ସୁଯୋଗ
![](https://nandighoshatv.com/wp-content/uploads/2025/02/PIJULI-CHASA-1024x576.jpg)
ପୋଲସରା: ଧାଡିକି ଧାଡି ଲାଗିଛି ପିଜୁଳି ଗଛ । ଏ ହେଉଛି ହିଞ୍ଜିଳିକାଟୁ ଗାଗନାପୁର ଗାଁର ପାହାଡ ପାଦଦେଶରେ ଥିବା ସୁଶାନ୍ତ କୁମାର ପଣ୍ଡାଙ୍କ ପିଜୁଳି ଫାର୍ମ । ଦିନଥିଲା ଏହି ଜମିଟି ପଥୁରିଆ ଥିବାରୁ ଏଠାରେ କୌଣସି ଚାଷ ହୋଇପାରୁନଥିଲା । କିନ୍ତୁ ସୁଶାନ୍ତ ନିଜର ଦୃଢ ଉଦ୍ୟମ ବଳରେ ଏଠାରେ ପ୍ରଥମ ପର୍ଯ୍ୟାୟରେ ୫ ହଜାରରୁ ଅଧିକ ପିଜୁଳି ଗଛ ଲଗାଇ ବେଶ ସଫଳ ହୋଇପାରିଛନ୍ତି । ଫାର୍ମରୁ ଏବେ ଦୈନିକ ଶହ ଶହ କିଲୋ ପିଜୁଳି ଆଦାୟ ହେଉଥିବା ବେଳେ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ସୁଶାନ୍ତ । ଏବଂ ଫାର୍ମରେ ପାଖ ଗାଁର କିଛି ଲୋକଙ୍କୁ କାମ ଦେଇ ରୋଜଗାର ଦେଇପାରିଛନ୍ତି ।
ଖାଲି ସେତିକି ନୁହେଁ ବିନା ପିଡିଆରେ ଏହି ପିଜୁଳି ଚାଷ ହୋଇପାରିଥିବା ବେଳେ ଏଠାରୁ ଆଦାୟ ହେଉଥିବା ଗୋଟିଏ ପିଜୁଳି ପ୍ରାୟ ୩୫୦ ରୁ ୫୦୦ ଗ୍ରାମ ବୋଲି ମଧ୍ୟ କୁହାଯାଉଛି । ଏଠାରୁ ଆଦାୟ ପିଜୁଳିକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିବା ବେଳେ ବଜାରରେ ମଧ୍ୟ ଏହାର ବେଶ ଚାହିଦା ରହିଛି । ଆଗକୁ ମଧ୍ୟ ପିଜୁଳିକୁ ବାହାର ରାଜ୍ୟକୁ ପଠାଯିବା ପାଇଁ ଉଦ୍ୟମ କରାଯାଉଥିବା ନେଇ କୁହାଯାଇଛି । ଜିଲ୍ଲାରେ ପ୍ରଥମ ଥର କରି ପିଜୁଳି ଚାଷ କରି ସାରା ଅଞ୍ଚଳରେ ବେଶ ପରିଚିତ ହୋଇଛନ୍ତି ଚାଷୀ ସୁଶାନ୍ତ କୁମାର ପଣ୍ଡା।