ସୈନିକ ସ୍କୁଲରେ ଝିଅ ବି ପଢ଼ି ପାରିବେ, ଜାଣନ୍ତୁ ଲାଲ୍‌ କିଲ୍ଲାରୁ କଣ ସବୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ବିଭିନ୍ନ ଜନହିତକାରୀ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଣିକି ସୈନିକ ସ୍କୁଲରେ ଝିଅମାନଙ୍କୁ ପଢ଼ିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ କେବଳ ମିଜୋରାମର ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଏବେ ଦେଶର ସବୁ ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢିବାକୁ ସୁଯୋଗ ମିଳିବ । ଏହାସହ ମୋଦୀ କହିଛନ୍ତି ଯେ, ବୋର୍ଡ ପରୀକ୍ଷା ହେଉ ବା ଅଲିମ୍ପିକ୍ସ ସବୁଠି ଦମଦାର ପ୍ରଦର୍ଶନ କରୁଛନ୍ତି ଦେଶର ଝିଅ ।

ଏଥିସହିତ ଦେଶରେ ଆଧୁନିକ ଭିତ୍ତିଭୂମି ନିର୍ମାଣକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିଲାଗି ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଆରମ୍ଭ କରାଯିବ । ଏହାନୁଯାୟୀ ୧୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଯୋଜନା ଦ୍ୱାରା ଲୋକେ ରୋଜଗାର ପାଇପାରିବେ । ପ୍ରଧାନମନ୍ତ୍ରୀ ଗତିଶକ୍ତି ନ୍ୟାସନାଲ ମାଷ୍ଟରପ୍ଳାନ୍ ଉଦ୍ୟୋଗ ଓ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ସୁଦୃଢ଼ କରିବ ।

ଦେଶ ସ୍ୱାଧୀନର ୧୦୦ ବର୍ଷ ପୂର୍ବରୁ ଉର୍ଜା କ୍ଷେତ୍ରରେ ଦେଶ ସ୍ୱାବଲମ୍ୱୀ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ବିକଶିତ ଏବଂ ଆତ୍ମନିର୍ଭର ଦେଶ ବନାଇବା ଲାଗି ଉର୍ଜା କ୍ଷେତ୍ରରେ ଆତ୍ମ ନିର୍ଭର ହେବା ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି । ସେ ଆହୁରି କହିଛନ୍ତି ଦେଶ ରିନୁଏଓ୍ୱେଲ୍ ଏନେର୍ଜି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଦେଶରେ ରିନ୍ୟୁଏବଲ ଏନେର୍ଜିକୁ ୧ଲକ୍ଷ ୭୫ ହଜାର ମେଗାଓ୍ୱାଟରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ନୂଆ ଶିକ୍ଷାନୀତି ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କର ଆଉ ଭାଷାଗତ ସମସ୍ୟା ରହିବ ନାହିଁ । ପାଠପଢାରେ କୌଣସି ସମସ୍ୟା ରହିବନି । ଏହାସହ ଏଥିରେ ଖେଳକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଏବେ କ୍ରୀଡା ପାଇଁ ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି । କ୍ରୀଡାକୁ ନେଇ ଅଭିଭାବକଙ୍କ ଦୃଷ୍ଟିକୋଣ ବଦଳିଛି, ଆଉ ଅଲିମ୍ପିକ୍ସ ଏହା ପଛର ବଡ଼ କାରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଦେଶରେ ଉତ୍ପାଦନ ହେଉଥିବା ଜିନିଷକୁ ନେଇ ମୋଦୀ କହିଛନ୍ତି ଯେ, ଆମେ ଦେଶରେ ଯାହା ବି ଉତ୍ପାଦ ନିର୍ମାଣ କରିବା ତାହା ସବୁଠୁ ଉଚ୍ଚମାନର ହେବା ଆବଶ୍ୟକ, ଯାହା ବିଶ୍ୱସ୍ତରୀୟ ଉତ୍ପାଦକୁ ଟକ୍କର ଦେଇପାରିବ । ଦେଶରେ ନିର୍ମାଣ ହେଉଥିବା ଉତ୍ପାଦରେ କେବଳ କମ୍ପାନିର ନାଁ ନଥାଏ ବରଂ ଦେଶର ନାଁ ଯୋଡି ହୋଇ ରହିଥାଏ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗାଁରେ ସ୍ୱଂୟ ସହାୟକ ଗୋଷ୍ଠୀ ସହ ୮ କୋଟିରୁ ଅଧିକ ମହିଳା ଯୋଡ଼ି ହୋଇଛନ୍ତି । ଏବଂ ସେମାନେ ବିଭିନ୍ନ ପ୍ରକାରର ଉତ୍ପାଦ ପ୍ରସ୍ତୁତ କରିନ୍ତି । ଆଉ ଏହି ସମଗ୍ରୀ କିଭଳି ଦେଶ ଓ ବିଦେଶର ବଜାରରେ ମିଳିବ ଏ ନେଇ ଇ-କମର୍ସ ବ୍ୟବସ୍ଥା କରାଯିବ ।

ଏଥିସହିତ ପଢ଼ନ୍ତୁ: ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ପତାକା ଉତ୍ତୋଳନ: ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ପ୍ରୟାସ ପାଇଁ ଆହ୍ୱାନ

Leave a Reply