spot_img

Latest Posts

ମନ୍ତ୍ରୀମଣ୍ଡଳ ନବକଳେବର ପୂର୍ବରୁ ମୋଦିଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳବଦଳ । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିବ। ଯେଉଁଥିରେ ବରିଷ୍ଠ ମନ୍ତ୍ରୀମାନେ ସାମିଲ ହେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ସିଂ ଯୋଶୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ସାମିଲ ହେବ।

ଏହି ବୈଠକରେ ମନ୍ତ୍ରିମଣ୍ଡଳର ବିସ୍ତାର ନେଇ ଆଲୋଚନା ହେବ। କାହାକୁ କେଉଁ ପଦ ମିଳିବ, କେଉଁ ରାଜ୍ୟରୁ କାହାକୁ ମନ୍ତ୍ରୀ କରାଯିବ ସେ ନେଇ ହେବ ବିସ୍ତୃତ ଆଲୋଚନା । ପୂର୍ବରୁ ପ୍ରଧାନମନ୍ତ୍ରୀ  ଅନେକ ମନ୍ତ୍ରୀଙ୍କ ବିଭିନ୍ନ ବିଭାଗର ସମୀକ୍ଷା କରିସାରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ସରିଛି। ମନ୍ତ୍ରିମଣ୍ଡଳର ବିସ୍ତାର ନେଇ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନା ମୁତାବକ ମନ୍ତ୍ରୀ ୧୭ରୁ ୨୨ ଜଣ ସାଂସଦ ଭାବେ ଶପଥ ନେଇପାରନ୍ତି। ସହଯୋଗୀ ଦଳକୁ ମଧ୍ୟ ବିଜେପି ସୁଯୋଗ ଦେଇପାରେ।

ସୂଚନାଯୋଗ୍ୟ, ଏବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୩ ଜଣ ମନ୍ତ୍ରୀ ଅଛନ୍ତି। ମନ୍ତ୍ରିମଣ୍ଡଳରେ ୨୮ଟି ପଦ ଖାଲି ରହିଛି। କ୍ୟାବିନଟେରେ ୮୧ ଜଣ ମନ୍ତ୍ରୀ ହୋଇପାରିବେ।  ଅନେକ ମନ୍ତ୍ରୀଙ୍କ ପାଖରେ ଏକରୁ ଅଧିକ ମନ୍ତ୍ରାଳୟ ରହିଛି । ଏଣୁ ୨୦୨୪ ନିର୍ବାଚନ ପୂର୍ବରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ  ନବକଳେବର ହେବ। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ବିହାରରେ ୨ରୁ ୩ ଜଣକୁ ଓ ଉତ୍ତର ପ୍ରଦେଶରୁ ୩ ଜଣକୁ ମନ୍ତ୍ରୀ ପଦ ମିଳିପାରେ । ସେହିଭଳି ମଧ୍ୟ ପ୍ରଦେଶରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଉତ୍ତରାଖଣ୍ଡରୁ ତୀରଥ ସିଂ ରାୱତଙ୍କୁ ମିଳିପାରେ ମନ୍ତ୍ରୀ ପଦ। ବିହାରରୁ ସୁଶିଲ ମୋଦି ଓ LJPରୁ ପଶୁପତି ପାରସ ହୋଇପାରନ୍ତି ମନ୍ତ୍ରୀ। ବରୁଣ ଗାନ୍ଧି, ପ୍ରବୀଣ ନିଷାଦଙ୍କୁ ବି ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ। ଅନ୍ୟପଟେ ଓଡ଼ିଶାରୁ ଜଣକୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି।

Latest Posts

Don't Miss