ବ୍ରିଟିସ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ, ସାଧାରଣତନ୍ତ୍ର ଦିବସରେ ହୋଇଥାନ୍ତେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ:  ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତ ବାତିଲ ହୋଇଛି । ନିକଟରେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । କରୋନାର ନୂଆ ଷ୍ଟ୍ରେନ୍ ଯୋଗୁଁ ତାଙ୍କର ଭାରତ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି ।

ବ୍ରିଟେନ ପ୍ରଶାସନର ସୂଚନା ଅନୁଯାୟୀ ଆଜି ସକାଳେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ସହ ଆଲୋଚନା କରିବା ସମୟରେ ଏନେଇ ସୂଚନା ଦେଇଥିଲେ । ଏପରିକି ଭାରତ ଗସ୍ତ ବାତିଲ କରିଥିବାରୁ ସେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ବ୍ରିଟେନରେ ଯେଉଁ ଗତିରେ କରୋନା ସଂକ୍ରମଣ ବ୍ୟାପୁଛି ସେଭଳି ସ୍ଥିତିରେ ତାଙ୍କର ବ୍ରିଟେନରେ ରହିବା ଅତ୍ୟନ୍ତ ଜରୁରୀ । ଯାହା ଫଳରେ ସେ କରୋନା ଭାଇରସର ଘରୋଇ ପ୍ରତିକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ ।

ତେବେ ନିକଟ ଅତୀତରେ ଭାରତ ଓ ବ୍ରିଟେନ ମଧ୍ୟରେ ହୋଇଥିବା ଶେଷ ଆଲୋଚନାରେ ବୋରିସଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ଦିଆଯାଇଥିଲା ।

ସୂଚନାଯୋଗ୍ୟ, କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ରେ ସଂକଟ ଦେଖାଦେଇଛି । ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ପୁଣିଥରେ ବ୍ରିଟେନ୍‌ରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ଦେଶରେ ସ୍କୁଲ, କଲେଜ ଓ ୟୁନିଭରସିଟି ବନ୍ଦ ରହିବ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ବୋରିସ୍ କଟକଣା ଜାରି କରିଛନ୍ତି । ସେହିପରି ମଧ୍ୟ ଫେବ୍ରୁଆରୀ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଆସିବେନି । ଲକ୍‌ଡାଉନ ସମୟରେ ଅତି ଜରୁରୀ କାର୍ଯ୍ୟ ନ ଥିବା ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଗତକାଲି ଅର୍ଥାତ ସୋମବାର ସୁଦ୍ଧା ବ୍ରିଟେନରେ ନୂଆ ଷ୍ଟ୍ରେନ୍‌ରେ ୨୬ ହଜାର ୬୨୬ ରୋଗୀ ଭର୍ତ୍ତି ହୋଇଥିଲେ । ତେବେ ପୂର୍ବ ସପ୍ତାହ ସୁଦ୍ଧା ଏ ସପ୍ତାହରେ ୩୦ ପ୍ରତିଶତ ଅଧିକ ମାମଲା ସାମନାକୁ ଆସିଛି । ଫଳରେ ଦେଶରେ କୋଭିଡ କଟକଣା ବଳବତ୍ତର କରିଛନ୍ତି ସରକାର।

Leave a Reply