ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ

କଟକ: ବାରବାଟୀ ପ୍ୟାଲେସରେ ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ ବୁକିଙ୍ଗ । ଏକ ହଜାର ବର୍ଗ ଫୁଟ ପର୍ଯ୍ୟନ୍ତ ବ୍ୟବସାୟୀମାନେ ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ପାଇଁ ପ୍ଲଟ୍ ବୁକିଙ୍ଗ କରି ପାରିବେ । ଗୋଟିଏ ପ୍ଲଟ୍ ପଞ୍ଜିକରଣ ପାଇଁ ବ୍ୟବସାୟୀଙ୍କୁ ଦେବାକୁ ହେବ ୫ ହଜାର ଟଙ୍କା । ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବୁକିଂ । ତେବେ ଅକ୍ସନକୁ ବ୍ୟବସାୟୀମାନେ ଆରମ୍ଭରୁ ବିରୋଧ କରିବା ସହ ନିୟମର ପୁନର୍ବିଚାର ପାଇଁ ଅନୁରୋଧ କରିଛନ୍ତି ।

ମହାନଦୀର ବାଲି ପଠାରେ ଚାଲିବ ମେଳା । ଦୁଇବର୍ଷ ପରେ ଜମିବ ଉତ୍ସବ । ବିଧିବଦ୍ଧ ଭାବେ ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ । ବାରବାଟୀ ପ୍ୟାଲେସରେ କ୍ଷୁଦ୍ର ବ୍ୟବସାୟୀଙ୍କ ଷ୍ଟଲ୍ ପାଇଁ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍କୋୟାର ଫୁଟକୁ ୫୦ ଟଙ୍କା କରି ଶହେ ବର୍ଗ ଫୁଟର ବେଶ ପ୍ରାଇସ ୫ ହଜାର ଟଙ୍କା ହିସାବରେ ଏକ ହଜାର ବର୍ଗ ଫୁଟ ପର୍ଯ୍ୟନ୍ତ ଜମି ବୁକ୍ କରିପାରିବେ ବ୍ୟବସାୟୀ । ଏହାଦ୍ବାରା ପ୍ଲଟ୍ ଆବଣ୍ଟନରେ ସ୍ବଚ୍ଛତା ଆସିବା ସହିତ ମୁନାଫାଖୋର ସବାଡ଼ ହୋଇପାରିବେ ବୋଲି ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ କହିଛନ୍ତି ।

ଆରମ୍ଭରୁ ଏହି ଅକ୍ସନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ବ୍ୟବସାୟୀ । ୨୦୧୯ରେ ଷ୍ଟଲ ରେଟ୍ ବର୍ଗଫୁଟ ପିଛା ବୃଦ୍ଧି କରାଯାଇଥିଲା । ତେବେ ଏଥର ସିଧାସଳଖ ଚଢ଼ା ଦରରେ ନିଲାମ ପ୍ରକ୍ରିୟା କରିବା ଦ୍ବାରା ସମସ୍ୟା ସୃଷ୍ଟି ହେବ । ଫଳରେ ପୁରୁଣା ବ୍ୟବସାୟୀ ଜମି ପାଇବେ ନାହିଁ । ଚଢା ଦରରେ କିଣିଲେ ବିକ୍ରି ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି ସେମାନେ କହିଛନ୍ତି । ତେଣୁ ଏହାର ପୁନର୍ବିଚାର ପାଇଁ ବ୍ୟବସାୟୀମାନେ ଅନୁରୋଧ କରିଛନ୍ତି ।

ପ୍ରଥମ ଦିନରେ ମହାନଦୀର ତଳ ଓ ଉପର ପଡ଼ିଆ ପାଇଁ କିଛି ବ୍ୟବସାୟୀ ବୁକ୍ କରିଥିବାବେଳେ ଏନେଇ ବ୍ୟବସାୟୀଙ୍କ ସହ ଆଲୋଚନା ଜାରି ରହଛି ।