ଜୟ ନାରାୟଣଙ୍କ ନାଁରେ କୋର୍ଟରେ ମାମଲା, ଜାମିନ ଖାରଜ କରିବାକୁ ଆବେଦନ

ଭୁବନେଶ୍ବର: ଅପରାଧ କରିବାର ଲାଇସେନ୍ସ ଜାମିନ ନୁହେଁ।  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଜାମିନ ଖାରଜ ହେବା ନେଇ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଛନ୍ତି ଏତଲାକାରୀ ବିମଲ ଭୋଇ। ୨୦୧୮ ମସିହାରେ ବିଜେପୁର ଉପନିର୍ବାଚନ ବେଳେ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ର ହାଇକୋର୍ଟରୁ ତିନୋଟି ସର୍ତ୍ତରେ ଜାମିନରେ ଆସିଥିଲେ। ହେଲେ ସେସବୁ ସର୍ତ୍ତର ଖୋଲା ଉଲ୍ଲଂଘନ କରିଛନ୍ତି।

ଖାଲି ସେତିକି ନୁହେଁ ଜାମିନରେ ଥାଇ ୩ଟି ଗୁରୁତର ଫୌଜଦାରୀ ମାମଲାରେ ସମ୍ପୃକ୍ତ ହୋଇଛନ୍ତି। ଜୟନାରାୟଣ ଆଇନ ଶୃଙ୍ଖଳା ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ପରେ ବି ଖୁଲମଖୁଲା ବୁଲୁଥିବାରୁ ତାଙ୍କ ଜାମିନ ଖାରଜ ନହେଲେ ମାମଲାର ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ ବୋଲି ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି। ୨୦୧୮ରେ ମାମଲା ପରେ ଗିରଫ ହୋଇ ୨୦୧୯ରେ ଜୟନାରାୟଣ ହାଇକୋର୍ଟରୁ ଜଷ୍ଟିସ ଜେପି ଦାସଙ୍କ ଶୁଣାଣିରେ ସର୍ତ୍ତମୂଳକ ଜାମିନରେ ଆସିଥିଲେ।

୨୦୨୦ରେ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲା ପରିଚାଳନା ପାଇଁ ଭୁବନେଶ୍ୱରରେ ଥିବା ସ୍ୱତନ୍ତ୍ର କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଥିଲା। ସ୍ୱତନ୍ତ୍ର କୋର୍ଟରେ ମାମଲା ଚାଲିବା ଦିନଠାରୁ ଜୟନାରାୟଣ ଏବଂ ଅନ୍ୟ ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇନାହାନ୍ତି। ପୂର୍ବରୁ ଜାମିନରେ ଥାଇ ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ବିହାର ସାଂସଦ ପପୁ ଯାଦବଙ୍କ ଜାମିନ ଖାରଜ ହୋଇଥିଲା। ସେହିପରି ଜୟନାରାୟଣଙ୍କର ଜାମିନ ମଧ୍ୟ ଖାରଜ କରିବାକୁ ଆବେଦନକାରୀ ଆବେଦନ କରିଛନ୍ତି।