ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ!

ନନ୍ଦିଘୋଷ ବ୍ୟୁରୋ: ପ୍ଲାଷ୍ଟିକ ବୋତଲରୁ ଆମେ ଅନେକ ସମୟରେ ପାଣି ପିଉଥାଉ। ତେବେ ଜାଣିଛନ୍ତି କି ଏହି ପ୍ଲାଷ୍ଟିକ ବୋତଲରେ ଥିବା ପାଣି ମନୁଷ୍ୟ ଶରୀର ଲାଗି କେତେ କ୍ଷତିକାରକ। ପ୍ଲାଷ୍ଟିକ ବୋତଲରେ ଥିବା ୧ ଲିଟର ପାଣିରେ ରହିଛି ପାଖାପାଖି ୨ ଲକ୍ଷ ୪୦ ହଜାର କଣିକା। ଏହି ନାନୋପ୍ଲାଷ୍ଟିକ କଣିକାଯୁକ୍ତ ପାଣି ମଣିଷ ପିଇବା ଦ୍ବାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋପ୍ଲାଷ୍ଟିକ ତୁଳନାରେ ଅତି ସୂକ୍ଷ୍ମ ହୋଇଥିବାରୁ ଏହା ସହଜରେ ଶରୀରରେ ଖାଦ୍ୟନଳୀ ଏବଂ ଫୁସଫୁସ ଦେଇ ରକ୍ତକଣିକା ମଧ୍ୟକୁ ପ୍ରବେଶ କରିଥାଏ। ଆଉ ରକ୍ତକଣିକା ଦେଇ ଏହି ନାନୋ ପ୍ଲାଷ୍ଟିକ ହୃଦୟ ଏବଂ ମସ୍ତିସ୍କକୁ ମଧ୍ୟ ପ୍ରବେଶ କରେ ।

ନାନା ପ୍ଲାଷ୍ଟିକ ଜଣେ ମହିଳାଙ୍କ ଗର୍ଭରେ ଥିବା ଶିଶୁ ଶରୀରକୁ ମଧ୍ୟ ପ୍ରବେଶ କରିପାରେ । ମନୁଷ୍ୟର ଜୀବକୋଷକୁ ମଧ୍ୟ ପ୍ରବେଶ କରିଥାଏ ଏହି ପ୍ଲାଷ୍ଟିକ କଣିକା। । ପୂର୍ବରୁ ପାଣିବୋତଲ ମଧ୍ୟରେ ମାଇକ୍ରୋ ପ୍ଲାଷ୍ଟିକ ଠାବ କରାଯାଇଥିଲା। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ଅଧିକ କ୍ଷତିକାରକ । ଶରୀର ଉପରେ ଏହାର ଅଧିକ କୁପ୍ରଭାବ ରହିଛି। ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ନାନୋ ପ୍ଲାଷ୍ଟିକ କଣିକାର ପ୍ରଭାବ ପ୍ରାୟ ୧୦ରୁ ୧୦୦ ଗୁଣା ଅଧିକା। ଏହା ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରଭାବିତ କରିଥାଏ । ପୂର୍ବରୁ ପ୍ଲାଷ୍ଟିକ ବୋତଲରେ ଥିବା ପିଇବା ପାଣିରେ ଏହି ସବୁ କଣିକା ରହିଥିବା ନେଇ ସନ୍ଦେହ କରି ଆସୁଥିଲେ ବୈଜ୍ଞାନିକ । ତେବେ ଜ୍ଞାନକୌଶଳ ଅଭାବରୁ ଏହି ସବୁ ନାନୋପ୍ଲାଷ୍ଟିକ କଣିକୁ ଗୁଡିକୁ ଠାବ କରାଯାଇ ପାରିନଥିଲା।

ଆମେରିକାରେ ହୋଇଥିବା ଏକ ଗବେଷଣାରେ ୩ଟି ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ ବୋତଲରେ ଥିବା ପାଣିକୁ ନେଇ ଏହି ପରୀକ୍ଷା କରାଯାଇଥିଲା । ୩ ବୋତଲରେ ଥିବା ପାଣିରେ ୧ ଲକ୍ଷ ୧୦ ହଜାରରୁ ୩ ଲକ୍ଷ ୧୦ ହଜାର ନାନୋପ୍ଲାଷ୍ଟିକ କଣିକା ଥିବା ଜଣାପଡିଥିଲା । ସେଥିମଧ୍ୟରୁ ୯୦ ପ୍ରତିଶତ ନାନୋ ପ୍ଲାଷ୍ଟିକ ହୋଇଥିବାବେଲେ ୧୦ ପ୍ରତିଶତ ମାଇକ୍ରୋପ୍ଲାଷ୍ଟିକ ଥିବା ଜଣାପଡିଥିଲା । ସ୍ବାସ୍ଥ୍ୟ ଉପରେ ପ୍ଲାଷ୍ଟିକର ପ୍ରଭାବକୁ ଭିତ୍ତିକରି ଏହି ସୂଚନା ଦେଇଛନ୍ତି ଗବେଷକ। ଆମେରିକାର ପ୍ରୋସିଡିଂ ଅପ ଦି ନେସନାଲ ଏକାଡେମି ଅଫ୍ ସାଇନ୍ସ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।