ପୁଷ୍ଟିର ପାୱାର ହାଉସ୍‌ ମିଲେଟ୍‌, ସ୍କୁଲ ମଧ୍ୟାହ୍ନ ଭୋଜନ ଓ ମେଡିକାଲରେ ମିଲେଟ୍‌ ପ୍ରସ୍ତୁତ ଖାଦ୍ୟ ଦେବା ପାଇଁ ଯୋଜନା

1 min read

ଭୁବନେଶ୍ୱର: ପୁଷ୍ଟିର ପାୱାର ହାଉସ୍‌ ମିଲେଟ୍‌ । ପାଟିକୁ ସୁଆଦ, ଦେହକୁ ହିତ । ମିଲେଟ୍‌ ଚାହିଦା ବଢୁଛି । ଏହାର ବ୍ୟବହାର ଆହୁରି ବଢ଼ାଇବା ପାଇଁ ଉଦ୍ୟମ । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଲେଟର ଉପକାରିତା ବିଷୟରେ ଅବଗତ କରାଯିବ । ପିଲାଙ୍କ ଟିଫିନ ବକ୍ସରେ ରହିବ ମାଣ୍ଡିଆ । ରୋଗୀଙ୍କ ଖାଦ୍ୟ ତାଲିକାରେ ବି ରହିବ । ସ୍ବାସ୍ଥ୍ୟକର ମିଲେଟର ଅଧିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି ଲାଗି ରାଜ୍ୟ କୃଷି ବିଭାଗ ଗୁରୁତ୍ବ ଦେଇଛି । ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଏବଂ ମିଶନ ଶକ୍ତି ବିଭାଗର ସହଯୋଗରେ ମିଲେଟ ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଲେଟର ଉପକାରିତା ସମ୍ପର୍କରେ ବୁଝାଇ ମଧ୍ୟାହ୍ନ ଭୋଜନରେ ଏହା ସାମିଲ କରିବାକୁ ଲକ୍ଷ୍ୟ ରହିଛି । ମେଡିକାଲରେ ମିଲେଟର ବହୁଳ ବ୍ୟବହାର ଉପରେ ରାଜ୍ୟ ସରକାର ଫୋକସ୍‌ କରିଛନ୍ତି । ଏହାସହ ମିଶନ ଶକ୍ତି କାଫେ ଜରିଆରେ ମିଲେଟ ଖାଦ୍ୟର ପ୍ରସାର ଓ ଅଧିକ ମହିଳାଙ୍କୁ ରୋଜଗାର ଦେବା ପାଇଁ ଗୁରୁତ୍ବ ଦିଆଯାଉଛି ।

ମିଲେଟ୍‌ ମିଶନ ଓଡ଼ିଶାକୁ ଦେଶ ଓ ବିଦେଶରେ ସ୍ବତନ୍ତ୍ର ପରିଚୟ ଦେଇଛି । ୨୦୧୭-୧୮ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ମିଲେଟ ମିଶନ ସଫଳତା ପରେ ସଫଳତା ହାସଲ କରୁଛି । ପ୍ରଥମେ ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ମିଲେଟ୍‌ ମିଶନ ୩୦ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ସରକାରୀ ବୈଠକରେ ଜଳଖିଆ ଭାବେ ମାଣ୍ଡିଆକୁ ବ୍ୟବହାର କରାଯାଉଛି । ମାଣ୍ଡିଆ ବ୍ୟବହାର ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳୁଥିବାରୁ ପ୍ରତ୍ୟେକ ବ୍ୟକ୍ତି ନିଜ ଖାଦ୍ୟ ମେନୁରେ ମାଣ୍ଡିଆକୁ ସାମିଲ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ୨୦୨୩କୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ଜାତିସଂଘ ଘୋଷଣା କରିଛି । ସେହି ଅନୁସାରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ମାଣ୍ଡିଆର ପ୍ରଚାର ପ୍ରସାର ସହ ଘରେଘରେ ମାଣ୍ଡିଆ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି  ।