ପିପଲପଙ୍କା ଡ୍ୟାମକୁ ତୀବ୍ର ବିରୋଧ, ପଦଯାତ୍ରା ମାଧ୍ୟମରେ କରାଯାଉଛି ସଚେତନ

ପୋଲସରା : ପିପଲପଙ୍କା ପ୍ରକଳ୍ପକୁ ତୀବ୍ର ବିରୋଧ । ପଥପ୍ରାନ୍ତ ସଭା ମାଧ୍ଯମରେ ଲୋକଙ୍କୁ କରାଯାଉଛି ସଚେତନ । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ପିପଲପଙ୍କା ଠାରେ ନିର୍ମାଣ ହେବାକୁ ଯାଉଛି ପିପଲପଙ୍କା ଡ୍ଯାମ । ଯେଉଁ ପ୍ରକଳ୍ପ ମାଧ୍ୟମରେ ଋଷିକୁଲ୍ୟା ନଦୀର ଜଳକୁ ଭୂତଳ ମାଧ୍ୟମରେ ବଡ ବଡ ସହରକୁ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ହେଲେ ପ୍ରାୟ ୨୩ ଖଣ୍ଡ ଗ୍ରାମ ବିସ୍ଥାପିତ ହେବ । ଯାହାକୁ ପ୍ରତିବାଦ କରି ଋଷିକୁଲ୍ଯା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭିନ୍ନ ଭିନ୍ନ ତରିକାରେ ଚାଲିଛି ପଦଯାତ୍ରା । ଗତ ପାଞ୍ଚ ଦିନ ହେଲା ପିପଲପଙ୍କା ଠାରୁ ଏହି ପଦଯାତ୍ରା ବାହାରିଥିବା ବେଳେ ରୂଷିକୁଲ୍ୟା ନଦୀ ତଟରେ ଥିବା ଗାଁ ଗୁଡିକରେ କ୍ରିୟାନୁଷ୍ଠାନ କମିଟି ପହଁଚି ଲୋକଙ୍କୁ ସଚେତନତା କରାଇବା ସହ ବିରାଟ ଆନ୍ଦୋଳନ ପାଇଁ ବଳ ଗୋଟାଉଛନ୍ତି ।

ଖରା ତରାକୁ ଖାତିର ନକରି ରାତି ଦିନକୁ ଏକ କରି କ୍ରିୟାନୁଷ୍ଠାନ କମିଟି ଗାଁ ଗାଁରେ ପହଁଚି ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ସଚେତନତ କରାଉଛି । ଏଥିସହିତ ଆସନ୍ତା ଦିନରେ ନଦୀ କଡରେ ଥିବା ହଜାର ହଜାର ଗ୍ରାମବାସୀଙ୍କୁ ସାଥିରେ ନେଇ ଏକ ବିରାଟ ଆନ୍ଦୋଳନ ପାଇଁ ଜନସମର୍ଥନ ଗୋଟାଇବାରେ ଲାଗିଛି । ଏମିତି କି ପ୍ରକଳ୍ପ ବନ୍ଦ ନ ହେବା ପର୍ଯ୍ୟନ୍ତ ଏହିଭଳି ଭାବେ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି କମିଟିର ବରିଷ୍ଠ ସଦସ୍ୟ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ରୂପ ଧାରଣ କରିପାରେ ।