କୃଷି ନୁହେଁ ବରଂ ୧୦୦ ଏକରରେ ଆପେଆପେ ହେଉଛି କଇଁଫୁଲ

 କୋଟୟମ୍: କଇଁଫୁଲକୁ ଦେଖିବାମାତ୍ରେ ମନେପଡ଼େ ଗାଁ କଥା । ଗାଁ’ର ସାଙ୍ଗ ମାନଙ୍କ କଥା ଆଉ ସାଙ୍ଗ ମାନଙ୍କ ସହିତ ମିଶି ଗାଁ ପୋଖରୀରୁ କଇଁଫୁଲ ଆଣିବାର ପ୍ରତ୍ୟେକଟି ଦୃଶ୍ୟ ଆଖି ସାମ୍ନାରେ ଗୋଟି ଗୋଟି ହୋଇ ନାଚିଯାଏ । ଗାଁ ଖୁଦୁରୁକୁଣି ପୂଜାରେ ପେନ୍ଥା ପେନ୍ଥା ହୋଇ ସଜା ହୋଇଥାଏ କଇଁଫୁଲ । ହେଲେ ସେ ସବୁ ଦୃଶ୍ୟ ଧୀରେ ଧୀରେ ମାନସ ପଟରୁ ଉଭେଇ ଗଲାଣି । ଯୁଗ ବଦଳିବା ସହିତ କଇଁଫୁଲର ଚାହିଦା ମଧ୍ୟ କମ୍‌ ହୋଇଗଲାଣି । କିନ୍ତୁ କେରଳର କୋଟୟମକୁ ଗଲେ ଆପଣ ଏବେ ମଧ୍ୟ କଇଁଫୁଲର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ।

କୋଟୟମ ଠାରେ ଥିବା ଏକ ମନ୍ଦିର ବେଢା ନିକଟରେ ରହିଛି ଏକ ବିରାଟ ପୋଖରୀ । ଯାହା ବର୍ତ୍ତମାନ ସାଜିଛି ପର୍ଯ୍ୟଟନ କ୍ଷେତ୍ର । ରାଜ୍ୟରୁ ଏବଂ ରାଜ୍ୟ ବାହାରୁ ଏହାକୁ ଦେଖିବା ପାଇଁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ସବୁଠାରୁ ଖାସ କଥା ହେଉଛି ଏହି ପୋଖରୀର ଆକୃତି ଯଥେଷ୍ଟ ବଡ଼ । ଏହାର ଚାରିପାଖରେ ଥିବା ଅଞ୍ଚଳ ପୂର୍ବରୁ ଚାଷଜମି ପାଇଁ ଉକୃଷ୍ଟ ଥିଲା । କିନ୍ତୁ କୌଣସି ପ୍ରକାରର କୃଷିକାର୍ଯ୍ୟ କରାନଯିବାରୁ ଜମି ପଡ଼ିଆ ହୋଇ ପଡ଼ି ରହିଲା ଏବଂ ପାଣି ଜମି ଧୀରେ ଧୀରେ କଇଁଫୁଲ ଫୁଟିବାରେ ଲାଗିଲା । ଏବେ ଏଠାରେ ଏତେ ମାତ୍ରାରେ କଇଁଫୁଲ ଫୁଟୁଛିଯେ, ରାସ୍ତାରେ ଯାଉଥିବା ବାଟୋଇ ମଧ୍ୟ କିଛି ସମୟ ପାଇଁ ଗାଡ଼ିକୁ ଅଟକାଇ ଫଟୋ ଉଠାଇବାର ମଜା ନେଉଛନ୍ତି । ତେବେ ପର୍ଯ୍ୟଟନ କ୍ଷେତ୍ର ସାଜିଥିବା ଏହି କଇଁ ପୋଖରୀକୁ ଦେଖିବା ପାଇଁ ରାଜ୍ୟ ବାହାରୁ ପର୍ଯ୍ୟଟକ ପ୍ରତିଦିନ ଆସନ୍ତି ବୋଲି କୁହନ୍ତି ଏଠାକାର ବାସିନ୍ଦା । ତେବେ ପ୍ରାୟ ୧୦୦ ଏକର ଜମିରେ କଇଁଫୁଲ ଆପେଆପେ ଫୁଟୁଛି ।

Leave a Reply