ବିମାନ ଦୁର୍ଘଟଣା ପାଇଁ ପାଇଲଟ୍ ଦାୟୀ
କୋଝିକୋଡେ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପାଇଁ ପାଇଲଟ୍ ଦାୟୀ । ପାଇଲଟଙ୍କ ଭୁଲ୍ ପାଇଁ ଗତବର୍ଷ କେରଳ କୋଝିକୋଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏୟାର ଇଣ୍ଡିଆ ବିମାନ । ପାଇଲଟ ଏସଓପି ପାଳନ କରି ନଥିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଯେଉଁଥିପାଇଁ ଦୁର୍ଘଟଣାରେ ୨୧ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।
ବିମାନବନ୍ଦର ଦୁର୍ଘଟଣା ତଦନ୍ତ ବ୍ୟୁରୋ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ବିମାନକୁ ଅବତରଣ କରାଇବା ବେଳେ ପାଇଲଟ ଗୋ ଆରାଉଣ୍ଡ ନିୟମ ଉଲ୍ଲଂଘନ କରିଥିଲେ ଏବଂ ବିମାନର ନିୟନ୍ତ୍ରଣ ନେଇ ପାଇଲଟ ମନିଟରିଂ ବିଫଳ ହୋଇଥିଲା । ଫଳରେ ଏହି ବିମାନ ଦୁର୍ଘଟଣା ଘଟିଥିଲା ବୋଲି ୨୫୭ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । ଅବତରଣ କରିବାକୁ ଯାଉଥିବା ଏକ ବିମାନର ନିରାପତ୍ତା ସକାଶେ ଯଦି ପାଇଲଟ ସମ୍ଭାବ୍ୟ ଲ୍ୟାଣ୍ଡିଂ ନ କରିବାକୁ ଚାହାଁନ୍ତି ତେବେ ଏହାକୁ ଗୋ ଆରାଉଣ୍ଡ କୁହାଯାଇଥାଏ । ଏନେଇ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଅବଗତ କରାଇବା ସହ ଅନ୍ୟ ଏକ ସ୍ଥାନରେ ବିମାନର ଅବତରଣ କରାଇଥାନ୍ତି । ମାତ୍ର ଉକ୍ତ ବିମାନ କ୍ଷେତ୍ରରେ ତାହା ଘଟି ନଥିଲା । ପାଇଲଟଙ୍କ ତ୍ରୁଟି ସହ କେତେକ ବ୍ୟବସ୍ଥାଗତ ବିଫଳତା ଯୋଗୁ ଏହି ବିମାନ ଦୁର୍ଘଟଣା ଘଟିଥିଲା ।
ଗତ ବର୍ଷ ଅଗଷ୍ଟ ୭ ତାରିଖରେ ବୋଇଂ ୭୩୭ ଏୟାର ଇଣ୍ଡିଆ ବିମାନ ବନ୍ଦେ ଭାରତ ମିଶନରେ ଦୁବାଇରୁ ୧୮୬ ଯାତ୍ରୀ ଓ ୬ କ୍ରିଉ ମେମ୍ବରଙ୍କୁ ନେଇ କେରଳ କୋଝିକୋଡେକୁ ଆସିଥିଲା । ମାତ୍ର ଅବତରଣ ବେଳେ ଦୁର୍ଘଟଣା ଯୋଗୁଁ ୧୯ ଯାତ୍ରୀ ଓ ୨ ପାଇଲଟ ପ୍ରାଣ ହରାଇଥିଲେ । ଖରାପ ପାଗ ଯୋଗୁଁ ଲ୍ୟାଣ୍ଡିଂ ନେଇ ଦୁଇଟି ପ୍ରୟାସ ବିଫଳ ହେବା ପରେ ବିମାନଟି ବିମାନବନ୍ଦର ନିକଟରେ ଧକ୍କା ଖାଇ ୩ ଖଣ୍ଡ ହୋଇଯାଇଥିଲା । ଯଦିଓ ଅବତରଣ ସକାଶେ ବିକଳ୍ପ ଏୟାରଫିଲ୍ଡ ଥିଲା ତଥାପି ପାଇଲଟ ନିୟମ ନ ମାନି ସେଠାରେ ବିମାନ ଅବତରଣ କରାଇବାରୁ ଏହି ଦୁର୍ଘଟଣା ଘଟିଥିଲା ।