ଦୁଲୁକୁଛି ଫୁଲବାଣୀ ସହର, ଧୁମଧାମରେ ଚାଲିଛି ମାଆ ନାରାୟଣୀଙ୍କ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ ଫୁଲବାଣୀ ସହର । ଚାଲିଛି ମାଆ ନାରାୟଣୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା । ଯାତ୍ରାର ପ୍ରମୁଖ ଆକର୍ଷଣ ପାଲଟିଛି ସାଂସ୍କୃତିକ କାର୍ଯ୍ଯକ୍ରମ ସାଙ୍ଗକୁ ମୀନାବଜାରର ସମ୍ଭାର । ପ୍ରତିଦିନ ମା ଙ୍କୁ ଦର୍ଶନ କରିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।   ସେପଟେ ଯାତ୍ରାକୁ ଶୃଙ୍ଖଳିତ ଭାବେ ସାରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

ଦୁଲୁକୁଛି ଫୁଲବାଣୀ ସହର । ଧୁମଧାମରେ ଚାଲିଛି ମାଆ ନାରାୟଣୀଙ୍କ ଯାତ୍ରା। ନାଲି ନେଳୀ ଆଲୋକମାଳାରେ ଝଲସୁଛି ଗାଁ ଦାଣ୍ଡ । କେଉଁଠି ରଥ ଓ କଳାକୁଞ୍ଜ ତ କେଉଁଠି ବଡ ବଡ ଲାଇଟଗେଟ ଲଗାଯାଇଛି । ପ୍ରତିଦିନ ସନ୍ଧ୍ଯାରେ ମା ନାରାୟଣୀ ପାଶ୍ୱର୍ଦେବୀ ମାଆ ବରାଳଦେବୀ, ମା’ ବ୍ୟାଘ୍ରଦେବୀ , ମା’ ବ୍ରାହ୍ମଣଦେବୀ ଓ ଗ୍ରାମ୍ୟଦେବୀଙ୍କ ସହ ନାନା ପାଟ ପଟୁଆରରେ ବାହାରି ବଜାର ପରିକ୍ରମା କରୁଛନ୍ତି । ମାଆଙ୍କ ଘଟ ପରିକ୍ରମା ବେଳେ ଚାଙ୍ଗୁ ବାଦ୍ଯର ତାଳେ ତାଳେ ବେଶଧାରୀ ମାନେ ନୃତ୍ଯ ପରିବେଷଣ କରୁଛନ୍ତି । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ଏବଂ ପ୍ରତିଦିନ ସନ୍ଧ୍ଯାରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଏବଂ ମୀନାବଜାର ଲୋକଙ୍କ ମନମୋହୁଛି ।

ପ୍ରତି ଦୁଇ ବର୍ଷ ବ୍ଯବଧାନରେ ଫୁଲବାଣୀରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ନାରାୟଣୀଙ୍କ ଯାତ୍ରା । ଚଳିତ ଥର ୯ଟି ସ୍ଥାନରେ ସୁସଜ୍ଜିତ ମେଢ ଦର୍ଶନୀୟ ହୋଇଛି । ପରମ୍ପରା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ୧୧ ତାରିଖରେ ସମାପନ ହେବ। ସେପଟେ ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।