କୁଆଡେ ଗଲେ ପେଟ୍ରୋଲ ପମ୍ପ ମାଲିକ? ଚଢାଉ ପର ଠୁ ମିଳୁନି ପତ୍ତା

ବରଗଡ: ଗୋବର୍ଦ୍ଧନ ଅଗ୍ରୱାଲ୍ ଗାଏବ । ଜିଏସଟି ରେଡ୍ ପରେ କୁଆଡ଼େ ଗଲେ ପାଇକମାଳ ପେଟ୍ରୋଲ ପମ୍ପ ମାଲିକ ଗୋବର୍ଦ୍ଧନ ଅଗ୍ରୱାଲ ? ଚଢାଉ ପର ଠାରୁ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ମିଳୁନି ପତ୍ତା । ସେ ରାୟପୁର ପଳାଇଥିବା ନେଇ ସୂଚନା ମିଳିଛି । ଆଇନକୁ ସାମ୍ନା କରିବା ଲାଗି କାହିଁକି ଭୟ କରୁଛନ୍ତି ଗୋବର୍ଦ୍ଧନ ? ଜିଏସଟି ଫାଙ୍କିବା ଅଭିଯୋଗରେ ଦୁଇ ଦିନ ତଳେ ଗୋବର୍ଦ୍ଧନଙ୍କ ଘର ସମେତ ତାଙ୍କ ପେଟ୍ରୋଲ ପମ୍ପ ଓ ମେଡିସିନ୍ ଦେକାନରେ ହୋଇଥିଲା ରେଡ୍ ।

ଚଢାଉ ଦିନ ବିଜେପି କର୍ମୀ ହଠାତ୍ ପଶି ଗୋବର୍ଦ୍ଧନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ । ପେଟ୍ରୋଲ ପମ୍ପରେ ଚଢ଼ାଉ ବେଳେ ଜିଏସଟି ଅଧିକାରୀଙ୍କ ଠାରୁ ଜୋର ଜବରଦସ୍ତ କାଗଜପତ୍ର ଛଡାଇ ନେଇଥିଲେ ବିଜେପି କର୍ମୀ । ଧମକ ଚମକ ଦେବା ସହ ଜିଏସଟି ଅଧିକାରୀଙ୍କୁ ଅଟକ ରଖିଥିଲେ ବିଜେପି କର୍ମୀ । ସରକାରୀ ଅଧିକାରୀଙ୍କୁ ସେମାନଙ୍କ କାର୍ଯ୍ୟରେ ବାଧା ଦେବା ସହ ଅଶାଳୀନ ବ୍ୟବହାର କରିଥିଲେ । ପୋଲିସ ପହଞ୍ଚି ଜିଏସଟି ଅଧିକାରୀଙ୍କୁ ବିଜେପି କର୍ମୀଙ୍କ ଗହଣରୁ ମୁକୁଳାଇଥିଲେ ।

ବିଜେପି କର୍ମୀଙ୍କ ଏଭଳି ଦାଦାଗିରି ବିରୋଧରେ ପାଇକମାଳ ଥାନାରେ ଏତଲା ଦେଇଥିଲେ ଜିଏସଟି ଅଧିକାରୀ । ସୋମବାର ସନ୍ଧ୍ୟାରେ ପଦମପୁର, ପାଇକମାଳ, ବରଗଡ ଓ ଝାରବନ୍ଧରେ ହୋଇଥିଲା ରେଡ୍ । ୧୧ଟି ସ୍ଥାନରେ ଜିଏସଟି ପକ୍ଷରୁ ହୋଇଥିଲା ଚଢାଉ । ହେଲେ ଜିଏସଟି ରେଡ୍ ବେଳେ ବିଜେପି ନେତା କର୍ମୀଙ୍କ ଅଶାଳୀନ ବ୍ୟବହାର ପାଇଁ ଥାନାରେ ଏତଲା ଦେଇଥିଲେ ଜିଏସଟି ଅଧିକାରୀ ।