spot_img

Latest Posts

ଘରୋଇ ବ୍ୟାଙ୍କଗୁଡିକର ପ୍ରଦର୍ଶନ ନୈରାଶ୍ୟଜନକ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଘରୋଇ ବ୍ୟାଙ୍କଗୁଡିକର ପ୍ରଦର୍ଶନ ନୈରାଶ୍ୟଜନକ। ବିଭିନ୍ନ ସମୀକ୍ଷା ବୈଠକରେ ଏହା ପ୍ରତିଫଳିତ ହେଉଥିଲେ ମଧ୍ୟ ସରକାରୀ ଦେୟ, କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଅନୁଦାନ ରାଶି ଆଦି ଏହି ଘରୋଇ ବ୍ୟାଙ୍କଗୁଡିକରେ ଜମା ରଖିବା ନିମନ୍ତେ ସରକାରୀ ବାବୁମାନେ ବେଶୀ ଆଗ୍ରହୀ। ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ତେବେ ଅଧିକାଂଶ ଘରୋଇ ବ୍ୟାଙ୍କଗୁଡିକର ରାଜ୍ୟ ବିକାଶରେ ଅବଦାନ ଅତ୍ୟନ୍ତ ନଗଣ୍ୟ। ଘରୋଇ ବ୍ୟାଙ୍କଗୁଡିକର ଜମା ଓ ଋଣ ଅନୁପାତ ଅତ୍ୟନ୍ତ ନୈରାଶ୍ୟଜନକ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ହାର ନିରୁତ୍ସାହଜନକ। ଯୁବଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ଏହି ବ୍ୟାଙ୍କ ଗୁଡିକ ଅମନଯୋଗୀ। ବିଭିନ୍ନ ସମୟରେ ସମୀକ୍ଷା ବୈଠକରେ ଏହା ପ୍ରତିଫଳିତ ହୋଇଛି ।

ଅପରପକ୍ଷେ ଘରୋଇ ବ୍ୟାଙ୍କ ପରିବର୍ତ୍ତେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ରଖିବାକୁ ମୁଖ୍ୟଶାସନ ସଚିବ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଚାଷୀଙ୍କୁ ଯେତିକି ଅର୍ଥ ଋଣ ପ୍ରଦାନ କରାଯାଉଛି ତାହାର ସିଂହଭାଗ ସମବାୟ ବ୍ୟାଙ୍କ ପ୍ରଦାନ କରୁଛି। ମୋଟ ଋଣର ୫୦ ପ୍ରତିଶତରୁ ଅଧିକ କେବଳ ସମବାୟ ବ୍ୟାଙ୍କ ମଞ୍ଜୁର କରୁଛି। ଅନୁରୂପ ଭାବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପ୍ରଦର୍ଶନ ୫୫ ପ୍ରତିଶତ ରହିଥିବାବେଳେ ଘରୋଇ ବ୍ୟାଙ୍କଗୁଡିକ ଏ କ୍ଷେତ୍ରରେ ମାତ୍ର ୧୫ ଦଶମିକ ୫୪ ପ୍ରତିଶତ ସଫଳତା ହାସଲ କରିଛନ୍ତି। ତେଣୁ ଘରୋଇ ବ୍ୟାଙ୍କ ପରିବର୍ତ୍ତେ ସରକାରୀ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ରଖିବା ନିମନ୍ତେ ଅନେକ ସମୟରେ ମତ ପ୍ରକାଶ ପାଉଛି।

Latest Posts

Don't Miss