ଲକ୍‌ଡାଉନ୍‌ ସମୟରେ ମଦ ପରିବର୍ତ୍ତେ ସାନିଟାଇଜର ପିଉଛନ୍ତି ନିଶାଖୋର

1 min read

ଭୋପାଳ: ଲକ୍‌ଡାଉନ୍‌ ଯୋଗୁଁ ସମଗ୍ର ଦେଶରେ ମଦ ଦୋକାନ ବନ୍ଦ ରହିଛି । ଅନ୍ୟ ରାଜ୍ୟ ଭଳି ମଧ୍ୟପ୍ରଦେଶରେ ମଦ ଏବଂ ସମସ୍ତ ନିଶାଦ୍ରବ୍ୟ ଦୋକାନ ଲକଡାଉନ୍ ପାଇଁ ବନ୍ଦ ରହିଛି। ତେବେ ଏନେଇ ମଧ୍ୟପ୍ରଦେଶର ଏକ ଖବର ସାମ୍ନାକୁ ଆସିଛି । ଲକଡାଉନ୍ ସମୟରେ ମଦର ଅଭାବ ଯୋଗୁଁ ସାନିଟାଇଜର ପିଉଛନ୍ତି ମଦ୍ୟପ । ସୂଚନାଯୋଗ୍ୟ ଯେ, କୋଭିଡ-୧୯ ପାଇଁ ସରକାର ନିର୍ଦ୍ଦେଶାବଳୀ ଅନୁଯାୟୀ ସାନିଟାଇଜରରେ ପାଖାପାଖି ୭୦ ପ୍ରତିଶତ ଆଲ୍‌କହଲ୍‌ ମାତ୍ରା ରହିବା ବାଧ୍ୟତାମୂଳକ ଅଟେ। ଏଣୁ ଏଭଳି ସାନିଟାଇଜରକୁ ନିଶା ଭାବେ ବ୍ୟବହାର କରୁଛନ୍ତି ନିଶାଖୋର ।

ତେବେ ଭୋପାଲରେ ଜଣେ ଡାକ୍ତରଙ୍କ ଅଭିଯୋଗ ଅନୁସାରେ ମଦ୍ୟପମାନେ ନିଶା ପାଇଁ ସାନିଟାଇଜର ବ୍ୟବହାର କରୁଛନ୍ତି। ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଏହା ଏକ ବଡ଼ ସମସ୍ୟା। ସେ କହିଛନ୍ତି ଯେ, ସେ ଜଣେ ୧୮ ବର୍ଷର ଝିଅକୁ ଚିକିତ୍ସା କରିଥିଲେ ଯିଏ ସାନିଟାଇଜର ପିଇଥିଲା। ତେବେ ଡାକ୍ତରଙ୍କ କହିବା ଅନୁସାରେ ସବୁ ସାନିଟାଇଜର ବୋତଲରେ ଚେତାବନୀ ଦିଆଯିବା ଉଚିତ । ବଜାରରେ ତିନି ପ୍ରକାରର ସାନିଟାଇଜର ଉପଲବ୍ଧ ବୋଲି ସେ କହିଛନ୍ତି।

ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାରେ ଜଣେ ବ୍ୟକ୍ତି ସାନିଟାଇଜରରୁ ମଦ ତିଆରି କରି ତାହା ଅଧିକା ଦାମ୍ ରେ ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଏଥି ସହ ମଧ୍ୟପ୍ରଦେଶର ଅବକାରୀ ଅଧିକାରୀ କହିଛନ୍ତି ଯେ, ସାନିଟାଇଜରକୁ ମଦ୍ୟପାନ କରାଯାଉଥିବା ସେ ଜାଣି ନାହାଁନ୍ତି। ସେ କହିଥିଲେ, ‘ସାନିଟାଇଜର ତାଙ୍କ ଅଧୀନରେ ନାହିଁ। ତଥାପି, ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସାନିଟାଇଜର ପିଇବା ଅନୁଚିତ୍‌ ।

Leave a Reply