କାଳିମାଡ଼ ଘଟଣା ପଛରେ ବିଜେପିର ହାତ: ପିସିସି ସଭାପତି

ଭୁବନେଶ୍ବର: କଂଗ୍ରେସ ଭବନରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ । ଏହି ଘଟଣା ପଛରେ ବିଜେପିର ହାତ ଥିବା ଅଭିଯୋଗ ଆଣିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ନିଟ ଘୋଟାଲକୁ ନେଇ ସାରା ଦେଶରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବାରୁ କଂଗ୍ରେସର ସ୍ବରକୁ ଚପାଇ ଦେବାକୁ ବିଜେପି ଦୁର୍ବୃତ୍ତ ପଠାଇ ଏପରି କାଣ୍ଡ କରିଥିବା ପିସିସି ସଭାପତି କହିଛନ୍ତି । ସେପଟେ ବିଜେପି ପକ୍ଷରୁ ଏହାକୁ ଅସ୍ବୀକାର କରାଯଇଛି । ମାମଲା କ୍ୟାପିଟାଲ ଥାନାରେ ପହଞ୍ଚିଛି ।

ଶରତଙ୍କୁ ମହଙ୍ଗା ପଡ଼ିଲା ନିଟ ଘୋଟାଲା ପ୍ରତିବାଦ । ପିସିସି ସଭାପତିଙ୍କ ଧଳା କୁର୍ତ୍ତା ଭିଜିଲା ବିଜେପିର କାଳିରେ । ତାହା ପୁଣି କଂଗ୍ରେସ ଭବନରେ ସଭାପତି ଚାମ୍ବର ଭିତରେ ।  ସକାଳ ପ୍ରାୟ ୧୧ଟା ୧୦ରେ କଂଗ୍ରେସ ଭବନର ଉପର ମହଲାରେ ଥିବା ପିସିସି ସଭାପତିଙ୍କ ଚାମ୍ବରକୁ ହଠାତ ୨୦ରୁ ଅଧିକ ଯୁବକ ପଶି ଆସିଥିଲେ । ଶରତ ପଟ୍ଟନାୟକ ହାଏ ହାଏ ସ୍ଲୋଗାନ ଦେଇ ପିସିସି ସଭାପତିଙ୍କ ରୁମ ଭିତରେ ପଶି ସେମାନେ ଶରତଙ୍କ ସହ ହାତ ମେଳାଇ ଥିଲେ । ଏହାପରେ ହଠାତ ପକେଟରୁ କାଳି ବାହାର କରି ଶରତଙ୍କ ଉପରକୁ ଫିଙ୍ଗିଥିଲେ ।

ପିସିସି ସଭାପତି କାଳିରେ ଗାଧୋଇ ପଡିଲା ଭଳି ଦେଖା ଯାଉଥିଲେ । କାଳିମାଡ଼ କରିବା ପରେ ଯୁବକମାନେ ପିସିସି ସଭାପତି ଗୋ ବ୍ୟାକ୍ ଓ ମୁର୍ଦ୍ଦାବାଦ ସ୍ଲୋଗାନ ଦେଇ କଂଗ୍ରେସ ଭବନରୁ ବାହାରି ଯାଇଥିଲେ । ସେପଟେ କିନ୍ତୁ ପିସିସି ସଭାପତିଙ୍କ ଚାମ୍ବର ଆଗରେ ସଭାପତିଙ୍କ ସମର୍ଥନ ଗୋଷ୍ଠୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଖବର ପାଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ବ ରଂଜନ ମହାନ୍ତି ଏବଂ ଅନ୍ୟ ନେତାମାନେ ପିସିସି ସଭାପତିଙ୍କ ଚାମ୍ବରରେ ପହଞ୍ଚିଥିଲେ । ଏହାପରେ ଗଣମାଧ୍ୟମ ଆଗରେ ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି । ନିଟ ଘୋଟାଲା ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରୁଥିବାରୁ ସରକାର ତାଙ୍କ ବିରୋଧରେ ଦୃର୍ବୃତ୍ତ ଲଗାଇ ଏପରି କାଳିମାଡ଼ କରିଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ମହାତ୍ମାଗାନ୍ଧି ଓ ନାଥୁରାମ ଗଡ଼ସେ ଉଦାହରଣ ଦେଇ ବିଜେପିକୁ ଟାର୍ଗେଟ କରିଥିଲେ ଶରତ ।

ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । ଦଳ ପକ୍ଷରୁ କୁହାଯାଇଛି, କଂଗ୍ରେସ ଦଳରେ ବା ଅଫିସରେ ବାଡ଼ିଆପିଟା ଓ କାଳିମାଡ଼ କିଛି ନୂଆ ନୁହେଁ । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ସେମାନଙ୍କ କଳି ଭିତରେ ଅନ୍ୟମାନଙ୍କୁ ବା ବିଜେପିକୁ କାହିଁକି ଟଣାଯାଉଛି । କେବଳ ସିମ୍ପାଥି ହାସଲ କରିବା ପାଇଁ ଅନ୍ୟ ଦଳ ଉପରେ କଂଗ୍ରେସ ଦୋଷ ଦେଉଛି ବୋଲି ବିଜେପି କହିଛି ।

ନିଟ ଓ କାଳିମାଡ଼ ଘଟଣାକୁ ନେଇ ରାଜ୍ୟରେ କଂଗ୍ରେସ ଓ ବିଜେପି ମୁହାମୁହିଁ ହୋଇଛନ୍ତି  । କଂଗ୍ରେସ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ କ୍ୟାପିଟାଲ ଥାନାରେ ଦଳ ପକ୍ଷରୁ ଘଟଣାର ତଦନ୍ତ ଦାବି କରାଯାଇଛି । ଏହାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦଳ ଦାବି କରିଛି ।