ବର୍ଷା ଆଗମନେ ହସୁଛି କ୍ଷେତ, ଚାଷ କାମରେ ଲାଗିଛନ୍ତି କୋରାପୁଟ ପଟାଙ୍ଗୀ ଅଞ୍ଚଳ ଚାଷୀ

ନନ୍ଦିଘୋଷ ବ୍ୟୁରୋ: କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। କିନ୍ତୁ ଏଥର ମୌସୁମୀ ବର୍ଷାର ଲୁଚକାଳି ଖେଳ ଚାଷୀଙ୍କ ଚିନ୍ତା ବଢ଼ାଇଥିଲା । ନିଅଣ୍ଟିଆ ବର୍ଷା ଯୋଗୁଁ ୮୯ଭାଗ ଜମିରେ ଧାନ ତଳି କିମ୍ବା ଧାନବୁଣା କାର୍ଯ୍ୟ ହୋଇ ପାରି ନଥିଲା। କିନ୍ତୁ ଗତ କିଛି ଦିନର ଲଗାଣ ବର୍ଷା ନିଅଣ୍ଟିଆ ଭରଣା କରିଛି । ଫଳରେ ଚାଷ ଜମିରେ ପାଣି ଭରିଛି । ଆଉ ଚାଷୀଙ୍କୁ ମିଳିଛି ସଞ୍ଜିବନୀ।

ମୁହଁରେ ହସ ଭରିଛି । ବର୍ଷ ଯାକର ପେଟପାଟଣ ପାଇଁ ଚାଷ କାର୍ଯ୍ୟରେ ଲାଗି ପଡିଛି ଚାଷୀ । କେଉଁଠି କିଆରୀରେ ଧାନତଳି ପକାଇବା ପାଇଁ କାଦୁଅ କାର୍ଯ୍ୟ ଚାଲିଛି ତ ଆଉ କେଉଁଠି ତଳି ରୁଆ ଓ ବିହନ ବୁଣା ଚାଲିଛି। ଏ ହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର ବିଭିନ୍ନ ଚାଷ ଜମିର ଦୃଶ୍ୟ। ଗତ କିଛି ଦିନ ଧରି ଝିପି ଝିପି ବର୍ଷା ହେଉଥିବାରୁ ତତ୍ପର ହୋଇଛି ଚଷା ପୁଅ। କେଉଁଠି ଚାଷୀ ହଳ ଲଙ୍ଗଳ ତ ଆଉ କେଉଁଠି ଚାଷୀ ଟ୍ରାକ୍ଟର, ପାୱାରଟିଲର, ଯୋଗେ ଜମିକୁ ଚସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ବର୍ଷା ଯେମିତି ଚାଷୀ ଚିନ୍ତା ଦୂର କରିଛି ।

ଚାଷୀ ହୁଡିଲେ ବରଷେ। କିନ୍ତ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବର୍ଷାର ପିରିମାଣ କମ ରହିଛି। ଫଳରେ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ଚାଷୀ। ଭଲ ବର୍ଷା ନହେଲେ ଚାଷ ବୁଡି ଯିବାର ଆଶଙ୍କା ରହିଛି।  ଏଣୁ ଚାଷୀ ଚାଷ କାମ ଆରମ୍ଭ  କରିଥିଲେ ସୁଦ୍ଧା ଚିନ୍ତାରେ ରହିଛି । ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପ୍ରଭାବରେ ଚାଷୀ କ୍ଷତି ସହିଲେ ସର୍ଭେ କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ କରାଯିବ ବୋଲି କହିଛନ୍ତି ବ୍ଲକ କୃଷି ଅଧିକାରୀ ।