ଆଜିଠାରୁ ସଂସଦର ବଜେଟ ଅଧିବେଶନ ; ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

1 min read

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଆସିବ ସାଧାରଣ ବଜେଟ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣକାଳୀନ ବଜେଟ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଛି । ଆଜି ସେଣ୍ଟ୍ରାଲ ହଲରେ ଉଭୟ ସଦନର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି । ପରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ୨୦୨୩-୨୦୨୪ ଲାଗି ସାଧାରଣ ବଜେଟ ।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ ଯାଏ ଚାଲିବ । ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ । ଅଧିବେଶନର ପ୍ରଥମ ଦୁଇଦିନରେ ରହିବନି ଶୂନ୍ୟକାଳ ଓ ପ୍ରଶ୍ନକାଳ । କୌଣସି ପ୍ରକାର ଜରୁରୀ ସାଧାରଣ ପ୍ରସଙ୍ଗ ଫେବ୍ରୁଆରୀ ୨ରୁ ପ୍ରଶ୍ନକାଳ ମଧ୍ୟରେ ଉତଥାପନ କରାଯାଇପାରିବ ।

ଫେବ୍ରୁଆରୀ ୨ରୁ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ନେଇ ଉଭୟ ସଦନରେ ଆଲୋଚନା ହେବ । ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏନେଇ ପ୍ରଧାନମନ୍ତ୍ରୀ ଉତ୍ତର ରଖିବେ । କେନ୍ଦ୍ର ସରକାରଙ୍କ ବଜେଟରେ ଅନୁଦାନ, ବିକାଶମୂଳକ ପ୍ରକଳ୍ପ, ରେଳ ପ୍ରକଳ୍ପ, ଜନକଲ୍ୟାଣକାରୀ ଯୋଜନା, ଆୟକର ସୀମା ଆଦି ଉପରେ ଦେଶବାସୀଙ୍କ ରହିଛି । ବଜେଟ ଅଧିବେଶନକୁ ନେଇ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏଥିରେ ଅଧିକାଂଶ ରାଜନୈତିକ ଦଳର ନେତା ଯୋଗଦେଇଥିଲେ ।