ଚାଲିପାରୁନି ପାର୍ଲାମେଣ୍ଟ, ଆଦାନୀ-ସମ୍ଭଲ ପ୍ରସଙ୍ଗରେ କଂଗ୍ରେସର ହଙ୍ଗାମା

ନୂଆଦିଲ୍ଲୀ: ଆଦାନୀ ପ୍ରସଙ୍ଗ ନେଇ ଚାଲିପାରୁନି ପାର୍ଲାମେଣ୍ଟ। ଲୋକସଭାରେ କଂଗ୍ରେସ ସଦସ୍ଯଙ୍କ ହଟ୍ଟଗୋଳରୁ ଗୃହ ଗୋଟିଏ ମିନିଟ ବି ଚାଲିପାରିନଥିଲା। ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି। ଆଦାନୀ ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଅଡ଼ି ବସିଛି କଂଗ୍ରେସ। ପାର୍ଲାମେଣ୍ଟ ପ୍ରବେଶ ଦ୍ଵାର ନିକଟରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ଅନେକ କଂଗ୍ରେସ ସଦସ୍ୟ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ। ଆଦାନୀ ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଦାବି କରି ଆସୁଛି କଂଗ୍ରେସ।
ସେହିପରି ଉତ୍ତରପ୍ରଦେଶ ସମ୍ଭଲ ହିଂସା ପ୍ରସଙ୍ଗରେ ମଧ୍ୟ ଗୃହରେ ଆଲୋଚନା ଦାବି କରିଛି ବିରୋଧୀ କଂଗ୍ରେସ। କଂଗ୍ରେସ, ଡିଏମକେ, ଆରଜେଡି ଏବଂ ବାମ ଦଳର ନେତା ପ୍ରସଙ୍ଗକୁ ନେଇ ଏକ ହୋଇ ଆଦାନୀଙ୍କୁ ଗିରଫ କରିବାକୁ ଦାବି କରି ଆସୁଛନ୍ତି। ଜେପିସି ଗଠନ କରି ତଦନ୍ତ କରିବାକୁ ଦାବି କରିଛନ୍ତି ବିରୋଧୀ। ତେବେ ଆଦାନୀ ପ୍ରସଙ୍ଗ ନେଇ ବିରୋଧୀଙ୍କ ମଧ୍ୟରେ ଏକତା ନଥିବା ଦେଖିବାକୁ ମିଳିଛି। ଆଦାନୀ ପ୍ରସଙ୍ଗ ନେଇ ଟିଏମସି ଏବଂ ସମାଜବାଦୀ ପାର୍ଟି ଅଲଗା ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି।