ତୃତୀୟ ଦିନରେ ବି ପାର୍ଲାମେଣ୍ଟ ଅଚଳ, ଆଦାନୀ ପ୍ରସଙ୍ଗରେ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ବଜେଟ ଅଧିବେଶନ ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ଆଦାନୀ ପ୍ରସଙ୍ଗରେ ଉଭୟ ଗୃହ ହୁଲୁସ୍ତୁଲ । ୫ ମିନିଟ ବି ଚାଲିପାରିଲାନି ଗୃହକାର୍ଯ୍ୟ । ଉଭୟ ଗୃହ ଅପରାହ୍ନ ୨ଟା ଯାଏ ମୁଲତବି । ସେପଟେ ଇଡି, ସିବିଆଇର ଦୂରୁପଯୋଗ ଓ ଆଦାନୀ ପ୍ରସଙ୍ଗ ନେଇ ଆଜି ସଂସଦ ଭବନରୁ ଇଡି କାର୍ଯ୍ୟାଳୟ ଯାଏଁ ମାର୍ଚ୍ଚ କରିବେ ବିରୋଧୀ ସାଂସଦ । ଦେଶରେ ଯେଉଁଭଳି ଭାବେ ବିରୋଧୀଙ୍କୁ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ଟାର୍ଗେଟ କରାଯାଉଛି, ତାହା ଆଦୌ ଗ୍ରହଣୀୟ ନୁହେଁ । ବିଜେପି ନେତାଙ୍କ ବିରୋଧରେ କୌଣସି ଭ୍ରଷ୍ଟାଚାର, ଦୁର୍ନୀତି ମାମଲାର ଯାଞ୍ଚ କରାଯାଉନି । କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗକୁ ବିରୋଧ କରି ବିରୋଧୀ ସଂସଦଙ୍କ ଏହି ମାର୍ଚ୍ଚ କରୁଥିବାବେଳେ ଏହା ନିହାତି ଆବଶ୍ୟକ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ଆଜି ସବୁ ବିରୋଧୀ ନେତା ଇଡିକୁ ପ୍ରଶ୍ନ ପଚାରିବେ ବୋଲି ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି । ଦିନ ୧୨ଟା ସୁଦ୍ଧା ବିରୋଧୀ ସାଂସଦମାନେ ସଂସଦ ଭବନରୁ ମାର୍ଚ୍ଚ ଆରମ୍ଭ ହେବ । ମାର୍ଚ୍ଚ ପୂର୍ବରୁ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବିରୋଧୀ ଦଳ ବୈଠକ ବସିବା ସହ ରଣନୀତି ପ୍ରସ୍ତୁତ କରାଯାଇଛି । ବିରୋଧୀଙ୍କ ମାର୍ଚ୍ଚ ପୂର୍ବରୁ ବିଜୟ ଚୌକ ଓ ଇଡି କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ବିଦେଶରୁ ଫେରିଥିବା ବେଳେ ସେ ବିରୋଧୀଙ୍କ ମାର୍ଚ୍ଚରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।