ଆଜିଠୁ ପ୍ଯାରିସ ପାରାଅଲିମ୍ପିକ୍ସ-୨୦୨୪; ଭାରତରୁ ଯାଇଛନ୍ତି ୮୪ ଜଣିଆ ଟିମ୍

ପ୍ଯାରିସ : ଆଜିଠୁ ବିଶ୍ବ ପାରା କ୍ରୀଡ଼ାର ସର୍ବଶ୍ରେଷ୍ଠ ପ୍ରତିଯୋଗିତା। ଆରମ୍ଭ ହେଉଛି ପ୍ଯାରିସ ପାରାଅଲିମ୍ପିକ୍ସ । ପ୍ଯାରିସ ଅଲିମ୍ପିକ୍ସ ଶେଷ ହେବାର ପ୍ରାୟ ୩ ସପ୍ତାହ ପରେ ସମାନ ଭେନ୍ଯୁରେ ଆଜିଠୁ ପାରାଅଲିମ୍ପିକ୍ସର ୧୭ତମ ସଂସ୍କରଣ ଆରମ୍ଭ ହେଉଛି । ଆଜି ରାତିରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ଉତ୍ସବ ପରେଡରେ ଭାରତର ସୁମିତ ଆଣ୍ଟିଲ ଓ ଭାଗ୍ଯଶ୍ରୀ ଯାଦବ ତ୍ରିରଙ୍ଗା ବାହକ ରହିବେ । ଏହି ପ୍ରତିଯୋଗିତାକୁ ଭାରତରୁ ଯାଇଛନ୍ତି ୮୪ ଜଣ କ୍ରୀଡ଼ାବିତ ।

ପାରାଅଲିମ୍ପିକ୍ସ ଇତିହାସରେ ଏହା ଭାରତର ସର୍ବବୃହତ ଦଳ ଭାବେ ବିବେଚିତ ହେଉଛି । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତର ୫୪ ଜଣିଆ ଦଳ ଭାଗ ନେଇଥିଲେ । ଏଥର ପ୍ଯାରିସ ଯାଇଥିବା ୮୪ ଜଣିଆ ଟିମରେ ୫୨ ଜଣ ପୁରୁଷ ଓ ୩୨ ଜଣ ମହିଳା କ୍ରୀଡାବିତ ରହିଛନ୍ତି । ୧୨ଟି କ୍ରୀଡ଼ାରେ ଭାରତୀୟ କ୍ରୀଡାବିତ ଭାଗନେବେ । ଦୌଡ଼କୁଦରେ ସର୍ବାଧିକ ୩୮ ଜଣ କ୍ରୀଡ଼ାବିତ ରହିଥିବାବେଳେ ୩ଟି ନୂଆ କ୍ରୀଡ଼ାରେ ଭାରତ ପ୍ରତିନିଧିତ୍ବ କରିବ । ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ୧୯ଟି ପଦକ ଜିତିଥିଲା । ୨୦୨୩ ପାରା ଏସୀୟ କ୍ରୀଡ଼ାରେ ଭାରତ ରେକର୍ଡ ୧୧ଟି ପଦକ ବିଜୟ ଲାଭ କରିଥିଲା । ତେଣୁ ଏଥର ପାରାଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ହେବ ବୋଲି ଖେଳାଳି ଆଶା ରଖିଛନ୍ତି ।