ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ: ୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ଗଜପତି: କୁହେଳିକା ମଧ୍ୟରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ । ଏହି ମାମଲାରେ ଏବେ ତିନି ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ରୁଜୁ ହୋଇଛି ମାମଲା । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ କ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ଓ ରୋଷେୟାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୌମ୍ୟଙ୍କ ମୋବାଇଲ୍ ଓ ଲାପଟପ୍‌ ଜବତ କଲେ ସତ ପଦାକୁ ଆସିବ ବୋଲି କହିଛନ୍ତି ମୃତ ସୌମ୍ୟଙ୍କ ପରିବାର । ଆଜି ପାରଳାଖେମୁଣ୍ଡି ଯାଇ ଜିଲ୍ଲାପାଳ, ଏସ୍‌ପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଭେଟିବେ ସୌମ୍ୟଙ୍କ ବାପା ଓ ମା’ । ପୂର୍ବରୁ ସୌମ୍ୟଙ୍କ ସ୍ତ୍ରୀ, ଡିଏଫଓ ଓ ରୋଷେୟାଙ୍କୁ ଘଟଣା ପାଇଁ ଦାୟୀ କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ପରିବାର । ସେପଟେ ଶାଶୂଘରର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏଫଓ ଓ ସୌମ୍ୟଙ୍କ ପତ୍ନୀ । ତେବେ ପ୍ରକୃତରେ କଣ ଥିଲା ଘଟଣା ଦିନର ସତ ? ସୌମ୍ୟଙ୍କ ମୃତ୍ୟୁ ଆକସ୍ମିକ ଦୁର୍ଘଟଣା, ହତ୍ୟା ନା ଆତ୍ମହତ୍ୟା । କେମିତି ପୋଡ଼ିହେଲେ ସୌମ୍ୟରଂଜନ? ଗୋଟିଏ ଘରେ ସ୍ୱାମୀ, ସ୍ତ୍ରୀ ଥିଲେ । ସ୍ୱାମୀଙ୍କ ଦେହରେ ନିଆଁ ଲାଗିଲା, ସେକଥା କେମିତି ଜାଣିପାରିଲେନି ସ୍ତ୍ରୀ ? ପାରଳାଖେମୁଣ୍ଡିରେ ପୋଡି ହୋଇ ଗୁରୁତର ହେଲେ ସହକାରୀ ବନ ସଂରକ୍ଷକ । ଚିକିତ୍ସା ପାଇଁ ଭାଇଜାକ କିମ୍ବା ବିଶାଖାପାଟଣା ନିଆଯାଇ ପାରିଥାନ୍ତା । ହେଲେ କାହିଁକି ତାଙ୍କୁ କଟକ ଅଣାଗଲା ? ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ପରିବାର ଲୋକଙ୍କୁ କାହିଁକି ପଚରା ଯାଇନଥିଲା ? ସୌମ୍ୟରଂଜନଙ୍କ ମୃତ୍ୟୁ ଛାଡ଼ିଯାଇଛି ଏଭଳି ଅନେକ ଅସମାହିତ ପ୍ରଶ୍ନ ।

ଏଥିସହିତ ପଢ଼ନ୍ତୁ: ସୌମ୍ୟରଞ୍ଜନଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର ଲୋକ

Leave a Reply