IPL ୨୦୨୨: ଆଜି ପଞ୍ଜାବ କିଙ୍ଗ୍ସକୁ ଟକ୍କର ଦେବ ଗୁଜରାଟ ଟାଇଟନ୍ସ

1 min read

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୪୮ ତମ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ମୁମ୍ବାଇର ଡି ଓ୍ୱାଇ ପଟେଲ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି । ଏହି ମ୍ୟାଚ ଜିତିଲେ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବରେ ପ୍ଲେ-ଅଫରେ ପ୍ରବେଶ କରିବ । ସେହିପରି ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚରେ ବିଜୟ ଲାଭ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।

ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଅପ୍ରତିଦ୍ୱନ୍ଦୀ ସାବ୍ୟସ୍ତ ହୋଇଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଏପର୍ଯ୍ୟନ୍ତ ଆଇପିଏଲରେ ଗୁଜରାଟ ୯ଟି ମ୍ୟାଚ ଖେଳି ୮ଟି ମ୍ୟାଚରେ ବିଜୟ ଲାଭ କରିଛି । ୮ଟି ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲର ୧୬ ପଏଣ୍ଟ ହାସଲ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଗୁଜରାଟ । ଲଗାତର ପାଞ୍ଚଟି ମ୍ୟାଚରେ ବିଜୟ ଲାଭ କରି ଆସିଛି ଗୁଜରାଟ ଟାଇଟନ୍ସ । ଆଜିର ମ୍ୟାଚରେ ବିଜୟ ଲାଭ କରି ଏହି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ଗୁଜରାଟ ।

ସେହିପରି ଯଦି ପଞ୍ଜାବ କିଙ୍ଗ୍ସ କଥା କହିବା ତାହାଲେ ଗୁଜରାଟ ଟାଇଟନ୍ସକୁ ହରାଇବାକୁ ହେଲେ ପଞ୍ଜାବକୁ ସଂଘର୍ଷ କରିବାକୁ ପଡ଼ିବ । ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛି ପଞ୍ଜାବ । ଚଳିତ ଆଇପିଏଲରେ ପଞ୍ଜାବ ୯ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ତେବେ ଯଦି ଚଳିତ ଆଇପିଏଲର ପ୍ଲେ-ଅଫରେ ରହିବାକୁ ହେଲେ ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେବ । ପୂର୍ବରୁ ଗୁଜରାଟ ଟାଇଟନ୍ସଠାରୁ ପରାଜିତ ହୋଇସାରିଥିବାରୁ ପଞ୍ଜାବ ଏହି ମ୍ୟାଚରେ ବିଜୟ ଲାଭ କରି ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।