୫୦ ବର୍ଷ ହେଲା ରଜରେ ପାଳିତ ହେଉଛି ପାଲା ମହୋତ୍ସବ

ଟାଙ୍ଗୀ: ଓଡ଼ିଶାରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବ ଭିତରେ ରଜ ପର୍ବର ବେଶ ମହତ୍ବ ରହିଛି । ଜୁନ ୧୪ରୁ ୧୬ ରଜ ପର୍ବ ପ୍ରତିଟି ଓଡ଼ିଆ ବେଶ ଧୂମଧାମରେ ପାଳନ କରିଥାନ୍ତି । ତେବେ ଟାଙ୍ଗୀ ଅଞ୍ଚଳରେ ଦୀର୍ଘ ୫୦ ବର୍ଷ ହେଲା ନିଆରା ଢଙ୍ଗରେ ରଜ ପର୍ବ ପାଳନ କରାଯାଉଛି । ଲୋକଙ୍କ ମନୋରଞ୍ଜନ ପାଇଁ କୈବର୍ତ୍ତ ସଙ୍ଘ ପକ୍ଷରୁ ବଳରାମ ଦେବ ମନ୍ଦିର ପରିସରରେ ପାଲା ମହୋତ୍ସବ ଆୟୋଜିତ ହୋଇ ଆସୁଛି ।

ମୃଦଙ୍ଗ ମାଡ଼, ଝାଞ୍ଜର ଝଙ୍କାର, ଘୁଙ୍ଗୁରର ଝଣ ଝଣ ଶବ୍ଦ ପରିବେଶକୁ କରୁଛି ପ୍ରକମ୍ପିତ । ଲୋକାନାଟ୍ୟ ଦେଖିବାକୁ ଲାଗୁଛି ଲୋକଙ୍କ ଖଚାଖଚ ଭିଡ଼ । ପୁରୁଣା ଲୋକକଳାକୁ ଉଜ୍ଜିବିତ ରଖିବାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାସୀଙ୍କ ନିଆରା ପ୍ରୟାସ । ରଜ ଉପଲ୍ଲକ୍ଷେ ବଳରାମ ଦେବ କୈବର୍ତ୍ତ ସଙ୍ଘ ପକ୍ଷରୁ ବଳରାମ ଦେବ ମନ୍ଦିର ପରିସରରେ ଆୟୋଜିତ ହୋଇଛି ପାଲା ମହୋତ୍ସବ ।

ପ୍ରତିବର୍ଷ ପହିଲି ରଜରୁ ଆରମ୍ବ ହୋଇଥାଏ ଏହି ପାଲା ମହୋତ୍ସବ । ପ୍ରତି ସନ୍ଧ୍ୟାରେ ରାଜ୍ୟର ପ୍ରତିଷ୍ଠିତ ପାଲା କଳାକାରମାନେ ପରିବେଷଣ କରଥାନ୍ତି ପାଲା । ସନ୍ଧ୍ୟା ୬ଟା ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହୋଇଥାଏ ପାଲା । ରଜ ୩ ଦିନ ପରେ ମଧ୍ୟ ଅଧିକ ଗୋଟିଏ ଦିନ ଏଠାରେ ପାଲା ପରିବେଷଣ କରାଯାଇଥାଏ ।