୨୮୦ କୋଟି ଟଙ୍କାର ହେରୋଇନ୍ ବୋଝେଇ ପାକିସ୍ତାନୀ ବୋଟ୍ ଜବତ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ବଡ଼ ସଫଳତା । ଆଣ୍ଟି ଟେରରିଜମ୍ ସ୍କୱଡ୍ ସହ ହୋଇଥିବା ମିଳିତ ଅଭିଯାନରେ ୨୮୦ କୋଟି ଟଙ୍କାର ହେରାେଇନ୍ ବୋଝେଇ ବୋଟ୍ ସିଜ୍ ହୋଇଛି । ଗୁଜୁରାଟ୍ ଉପକୂଳ ଅନ୍ତର୍ଗତ ଆରବ ସାଗରରୁ ଏହି ବୋଟ୍ ଜବତ ହୋଇଥିବା ବେଳେ ୯ଜଣ କ୍ର୍ୟୁ ମେମ୍ୱର ଥିଲେ ।

ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ଭରତୀୟ ଜଳରାଶିକୁ ପ୍ରବେଶ କରୁଥିବା ପାକିସ୍ତାନୀ ବୋଟ୍‌ ‘ଅଲ୍‌ ହଜ୍‌’କୁ ଭାରତୀୟ ତଟରକ୍ଷୀ ପୋତଗୁଡ଼ିକ ବାଧା ଦେବା ସହ ଅଟକ ରଖିଛନ୍ତି। ଉକ୍ତ ବୋଟ୍‌ରୁ ନୌସେନା ତଟରକ୍ଷୀ କର୍ମଚାରୀମାନେ ୨୮୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ପାଇଥିଲେ। ଅଧିକ ତଦନ୍ତ ନିମନ୍ତେ ଉକ୍ତ ବୋଟ୍‌ ଏବଂ ସେଥିରେ ଥିବା ପରିଚାରକମାନଙ୍କୁ ଗୁଜରାଟର କଚ୍ଛ ଜିଲ୍ଲାରେ ଥିବା ଜଖାଉ ବନ୍ଦରକୁ ଅଣାଯାଇଛି ।

ତେବେ ଧରାପଡ଼ିଥିବା ୯ଜଣ କ୍ର୍ୟୁ ମେମ୍ୱର ପାକିସ୍ତାନୀ ନାଗରିକ । ଗୁଜରାଟ ଉପକୂଳରେ ଥିବା ମାଛଧରା ବନ୍ଦର ଜାଖାଓ ନିକଟରେ ସେମାନେ ୫୫ କିଲୋ ହେରୋଇନ୍‌ ଚୋରା ଚାଲାଣ କରିବା ନିମନ୍ତେ ଚାହିଁଥିଲେ। ପାକିସ୍ତାନରୁ ‘ଡ୍ରଗ୍’ ଆସୁଛି ବୋଲି ‘ଏଟିଏସ୍‌’ ପୂର୍ବରୁ ସୂଚନା ପାଇବା ପରେ ଭାରତୀୟ ତଟରକ୍ଷୀ ସହଯୋଗରେ ସୀମାପାରିରୁ ଆସୁଥିବା ଉକ୍ତ ବ‌ୋଟ୍‌ ଦେଖିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ଜବତ ହୋଇଥିବା ଏହି ବୋଟ୍ ମାଛଧରା ବୋଟ୍ ହୋଇଥିବା ବେଳେ ଏହା ଦ୍ରୁତଗତିରେ ଯିବା ପାଇଁ ସକ୍ଷମ ଅଟେ ।

ଏଥିସହିତ ପଢ଼ନ୍ତୁ: ଆମେରିକୀୟ କମ୍ପାନୀ ଟେସଲା ମାଲିକଙ୍କୁ ଭାରତର ଟେସଲା ଦେଖାଇଲେ ଆନନ୍ଦ ମହିନ୍ଦ୍ରା