ଭାରତ ସୀମାରେ ପାକିସ୍ତାନୀ ଡ୍ରୋନ ବଢାଇଲା ଚିନ୍ତା

ଜମ୍ମୁ: ଭାରତ ସୀମାରେ ପାକିସ୍ତାନୀ ଡ୍ରୋନ । ପାକିସ୍ତାନ ସବୁ ପ୍ରକାର ଯୋଜାନା କରି ବିଫଳ ହୋଇଥିବା ବେଳେ ଗତକାଲି ପାକିସ୍ତାନର ଗୋଟିଏ ଡ୍ରୋନକୁ ଭାରତ ସୀମାରେ ଦେଖାଯାଇଛି । ଜମ୍ମୁ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌ ଉଡୁଥିବା ଦେଖି ‘ସୀମା ସୁରକ୍ଷା ବଳ’ (ବିଏସ୍ଏଫ୍‌) କିଛି ରାଉଣ୍ଡ୍‌ ଗୁଳି ଚଳାଇଥିଲେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଅଚାନାକିଆ ଗୁଳି ଚଳାଇବା ଦେଖି ଡ୍ରୋନ୍‌ଟି ତୁରନ୍ତ ପାକିସ୍ତାନ ଆଡକୁ ଚାଲି ଯାଇଥିଲା। କିନ୍ତୁ, ଉକ୍ତ ଡ୍ରୋନ୍‌ କେଉଁ କାରଣରୁ ସୀମାକୁ ଆସିଥିଲା ସେନେଇ ତନାଘନା ଜାରି ରହିଛି । ଏହାସହ ଡ୍ରୋନଟି  କାଳେ କିଛି ସାମଗ୍ରୀ ସେ ଅଞ୍ଚଳରେ ପକାଯାଇଥିବ ସେଥିପାଇଁ ସୀମାରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା।

ଜମ୍ମୁ ସୀମାନ୍ତର ‘ବିଏସ୍‌ଏଫ୍‌’ ଡେପୁଟି ଇନ୍ସପେକ୍ଟର୍‌ ଜେନେରାଲ୍‌ ଏସ୍.ପି. ସାନ୍ଧୁ କହିଛନ୍ତି ଯେ, ସନ୍ଧ୍ୟା ୭.୨୫ରେ ଆର୍ଣ୍ଣିଆ ଅଞ୍ଚଳରେ ପାକିସ୍ତାନ ପଟୁ ଗୋଟାଏ ଡ୍ରୋନଟି ଧିମା ଧିମା ଲାଇଟ ସହ ଭାରତ ସୀମା ଆଡକୁ ଆସୁଥିବା ଦେଖାଯାଇଥିଲା। ଉକ୍ତ ଡ୍ରୋନ୍‌ଟି ଭାରତ ସୀମାକୁ ପ୍ରବେଶ କରିବା ମାତ୍ରେ ‘ବିଏସ୍‌ଏଫ୍‌’ ଯବାନମାନେ ତାହାକୁ ଖସାଇବା ପାଇଁ ୮ ରାଉଣ୍ଡ୍‌ ଗୁଳି ଚଳାଇଥିଲେ । କିନ୍ତୁ, ଉକ୍ତ ଡ୍ରୋନ୍‌ଟି କୌଣସିମତେ ଉଡ଼ି ପାକିସ୍ତାନ ପଟକୁ ଚାଲିଗଲା।

ସୂଚନାଯୋଗ୍ୟ, ‘ବିଏସ୍‌ଏଫ୍‌’ ଯବାନମାନେ ସାମ୍ବା ଜିଲ୍ଲାର ଚକ୍‌ ଫକିରାରେ ଗୋଟାଏ ସୀମାପାରି ସୁଡ଼ଙ୍ଗ ଚିହ୍ନଟ କରିବାର ୩ ଦିନ ପରେ ପାକିସ୍ତାନର ଏହି ଡ୍ରୋନ୍‌ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଛି।