ଭାଙ୍ଗିଲା ପାକିସ୍ତାନ ପାର୍ଲ୍ୟାମେଣ୍ଟ : ୩ମାସ ମଧ୍ୟରେ ହେବ ନିର୍ବାଚନ

ଇସ୍‌ଲାମାବାଦ୍‌: ପାକିସ୍ତାନ ନ୍ୟାସନାଲ ଆସେମ୍ୱ୍ଳି(ପାର୍ଲ୍ୟାମେଣ୍ଟ) କୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଅରିଫ୍ ଅଲ୍‌ଓ୍ୱି । ଏହା ସହିତ ବିଭିନ୍ନ ପ୍ରଦେଶ ଆସେମ୍ୱ୍ଲିକୁ ମଧ୍ୟ ଭଙ୍ଗ କରିଛନ୍ତି  । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ନ୍ୟାସନାଲ ଆସେମ୍ୱ୍ଳି ଭଙ୍ଗ କରିଥିବା ବେଳେ ଆଗାମୀ ୩ ମାସ ମଧ୍ୟରେ ନିର୍ବାଚନ ହେବ । ତେବେ ସମ୍ବିଧାନର ଧାରା ୨୨୪ ଅନୁଯାୟୀ ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟ ଜାରି ରଖିବେ ଏବଂ ଧାରା ୫୮ ଅନୁଯାୟୀ ୮ ଦିନ ମଧ୍ୟରେ କାମଚଳା କ୍ୟାବିନେଟ୍ ଗଠନ ହେବ । ପାର୍ଲ୍ୟାମେଣ୍ଟ ଭଙ୍ଗ ହୋଇଛି ବୋଲି ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ।

ତେବେ ରାଷ୍ଟ୍ରପତିଙ୍କୁ ପାର୍ଲିଆମେଣ୍ଟ ଭାଙ୍ଗିବା ନେଇ ପତ୍ର ଲେଖିବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ କହିଥିଲେ,ପାର୍ଲ୍ୟାମେଣ୍ଟ ଭାଙ୍ଗି ଦେବା ପାଇଁ ମୁଁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛି । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା ଉଚିତ । ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ମୁଁ ପାକିସ୍ତାନ ଜନସାଧାରଣଙ୍କୁ କହୁଛି । ଅନାସ୍ଥା ଭୋଟ୍‌ ପାଇଁ ଉପବାଚସ୍ପତି ଅନୁମତି ଦେଇ ନ ଥିବାରୁ ଦେଶବାସୀ ଆନନ୍ଦିତ । ଅନାସ୍ଥା ପ୍ରସ୍ତାବ ବିଦେଶୀ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ତେଣୁ, ପାର୍ଲ୍ୟାମେଣ୍ଟ ଭାଙ୍ଗି ଦେବାକୁ ମୁଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଛି । କାମଚଳା ସରକାର ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି ।

ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ୱିଙ୍କୁ ଭେଟି ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। । ସୂଚନାଯୋଗ୍ୟ, ଉପବାଚସ୍ପତି କାସିମ୍ ଖାନ୍ ସୁରିଙ୍କ ଅଧ୍ୟକ୍ଷତାରେ ପାକିସ୍ତାନ ପାର୍ଲ୍ୟାମେଣ୍ଟରେ ଅଧିବେଶନ ଆରମ୍ଭ ହେବା ପରେ ବିରୋଧୀମାନେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ତେବେ ଆଜିର ସଂସଦ ଘଟଣାରେ ପାକିସ୍ତାନ ଆର୍ମିର କୌଣସି ଭୂମିକା ନଥିବା କହିଛନ୍ତି ପାକିସ୍ତାନୀ ସେନା ।

ଏଥିସହିତ ପଢ଼ନ୍ତୁ: ଭିଡିଓ କଲରେ ୭୮୬ କର୍ମଚାରୀଙ୍କୁ ବାହାର କରିଦେଲା କମ୍ପାନୀ