ବାପାଙ୍କ ଆଶୀର୍ବାଦ ନେଇ ଭୋଟ ଦେଲେ ବର୍ଷା

ପଦମପୁର: ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ଭୋଟ୍ । ସକାଳୁ ସକାଳୁ ଭୋଟ୍ ଦେବାକୁ ମତଦାତାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସାହ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ମଧ୍ୟ ନିଜ ମତାଧିକାର ସାବ୍ୟସ୍ଥ କରିଛନ୍ତି ।

ବାପା ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଆଶୀର୍ବାଦ ନେଇ ଭୋଟ୍ ଦେଇଛନ୍ତି ବର୍ଷା । ଘରୁ ବାହାରିବା ବେଳେ ବର୍ଷା ବାପାଙ୍କ ଫଟୋକୁ ମୁଣ୍ଡିଆ ମାରି ବିଜୟର ଆଶୀର୍ବାଦ ନେଇଥିଲେ । ଏହାପରେ ସେ ରାଜାପଡ଼ା ସ୍କୁଲରେ ହୋଇଥିବା ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ଥିଲେ । ସେଠାରେ ସେ ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡ଼ା ହୋଇଥିଲେ । ନିଜ ନମ୍ବର ଆସିବା ପରେ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯାଇ ପ୍ରମାଣପତ୍ର ଦେଖାଇବା ସହ ଭୋଟ୍ ଦେଇଥିଲେ ।

ଲାଇନରେ ଛିଡ଼ା ହୋଇ ଭୋଟ ଦେବାକୁ ନେଇ ବର୍ଷା କହିଥିଲେ, ସମସ୍ତଙ୍କ ପରି ମୁଁ ବି ଧାଡ଼ିରେ ଛିଡ଼ା ହୋଇ ଅନ୍ୟମାନଙ୍କ ସହ ଭୋଟ ଦେଲି । ପୂର୍ବରୁ ଏମିତି ଲାଇନରେ ଛିଡ଼ା ହୋଇ ଭୋଟ ଦେଇଛି । ଏଥର ପ୍ରାର୍ଥୀ ହେଲି ତ କ’ଣ ହେଲା । ନିୟମ ସମସ୍ତଙ୍କ ପାଇଁ ସମୟ । ଆଗରୁ ବାପାଙ୍କୁ ଭୋଟ ଦେବାକୁ ଲାଇନରେ ଛିଡ଼ା ହେଉଥିଲି, ଏବେ ନିଜକୁ ଭୋଟ୍ ଦେବାକୁ । ନିଜକୁ ନିଜ ଭୋଟ ଦେଇ ବହୁତ ଭଲ ଲାଗୁଛି ।

ସୂଚନାଯୋଗ୍ୟ, ବିଜେଡି ପ୍ରାର୍ଥୀ ହେଉଛନ୍ତି ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ । ବିଜୟ ବରିହାଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହେଉଛି ।