ଲକ୍ଡାଉନ୍ରେ ଘରୁ ବାହାର କରିଦେଲେ ମାଲିକ: କଅଁଳା ଛୁଆକୁ ଧରି ଦିନ କାଟୁଛନ୍ତି ହାଟ ପିଣ୍ଡିରେ

ଅନୁଗୁଳ, (ସମରେଶ ନାଥ): ଲକ୍ଡାଉନ୍ ଛଡ଼ାଇନେଲା ରୋଜଗାର । ଅର୍ଥାଭାବରୁ ଦେଇପାରିଲେ ନି ଘର ଭଡ଼ା । ଫଳରେ ଘରୁ ତଡ଼ିଦେଲେ ଘରମାଲିକ । ଆଉ ଏବେ ହାଟପିଣ୍ଡିରେ ମାଗିଜାଚି ଦୁଇ ଦିନର କଅଁଳା ଛୁଆକୁ ନେଇ ପଡ଼ିରହିଛନ୍ତି ଦମ୍ପତି । ଅନୁଗୁଳରେ ଦେଖିବା ମିଳିଛି ଏଭଳି ଦୁଃଖଦ ଚିତ୍ର । ହାତରେ ଦୁଇ ଦିନର କଅଁଳା ଛୁଆ । ମୁଣ୍ଡରେ ଛାତ ନାହିଁ, ପେଟକୁ ଦାନା ନାହିଁ ।
ଦୁଇ ଦିନ ହେଲା ହାଟ ପିଣ୍ଡିରେ ଦିନ କାଟୁଛନ୍ତି ପରିବାର । ଅନୁଗୁଳରେ ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି । ଲକଡାଉନ ଯୋଗୁ ରୋଜଗାର ହରାଇଥିଲେ ଅନୁଗୁଳର ବୃହସ୍ପତି ରାୟ । ଖଟିଲେ ଚୂଲି ଜଳୁଥିଲା । ହେଲେ ଏବେ ରୋଜଗାରରେ ତାଲା ପଡିଥିବା ବେଳେ ଘର ଭଡା ଦେବାକୁ ବି ଅକ୍ଷମ । ସେପଟେ ଗତ ଦୁଇ ଦିନ ପୂର୍ବରୁ ନବଜାତକୁ ଜନ୍ମ ଦେଇଥିଲେ ବୃହସ୍ପତିଙ୍କ ସ୍ତ୍ରୀ ।
ଛୁଆକୁ ଧରି ଘରକୁ ଫେରିବା ପରେ କିନ୍ତୁ ଘରୁ ବାହାର କରିଦେଇଥିଲେ ଘର ମାଲିକ । ସେପଟେ ଘରୁ କୌଣସି ଜିନିଷ ନେବାକୁ ମନା କରିଦେଇଥିଲେ ଘର ମାଲିକ । ଫଳରେ ନଖାଇ ନପିଇ ଖରା,ବର୍ଷାରେ ପଡି ରହିଛନ୍ତି ଏହି ପରିବାର । ମାଗିଜାଚି ଯାହା ମିଳୁଛି ସେଥିରେ ପଡିରହିଛନ୍ତି । ଅନ୍ୟପେଟ ଏଭଳି ଘଟଣାକୁ ସ୍ଥାନୀୟ କିଛି ଲୋକ ନିନ୍ଦାକରିବା ସହିତ ପ୍ରଶାସନ ସହଯୋଗରେ ଖାଇବା ବନ୍ଦବସ୍ତ କରିଛନ୍ତି ।
କରୋନା କାଳରେ ଲୋକ ଯେଉଁଠି ରୋଜଗାର ହରାଇ ଖାଇବାକୁ ପାଉ ନାହାନ୍ତି ସେଇଠି ଏଭଳି ଏକ ଘଟଣା ନିନ୍ଦନୀୟ । ପ୍ରଶାସନ ପକ୍ଷରୁ ଏ ପରିବାରକୁ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।