ରଣ ହୁଙ୍କାର ଦେଲା ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ, କାଲି କମ୍ପିବ ଭୁବନେଶ୍ବର ଗାନ୍ଧୀମାର୍ଗ

ଭୁବନେଶ୍ବର ; ଋଣହୁଂକାର ଦେଲା ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । କାଲି କମ୍ପିବ ଭୁବନେଶ୍ବର ଗାନ୍ଧୀମାର୍ଗ । ସାରା ଓଡ଼ିଶାରୁ ଏକାଠି ହେବେ ୭୦ ହଜାର କର୍ମଚାରୀ । ସ୍ଥାୟୀ ନିଯୁକ୍ତି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଛାଡ଼ିବେନି ରାଜରାସ୍ତା । ମହାସଂଘ ଅଧ୍ୟକ୍ଷଙ୍କ ଅଭିଯୋଗ, ଦୀର୍ଘ ୯ ମାସ ଧରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଉଛି । ୩୦ଟି ସ୍ମାରକପତ୍ର ଦିଆଗଲା । ହେଲେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରତିବିଧାନ କରିବେ କଣ । ଅଭିଯୋଗ ପତ୍ରଟି କେବଳ ଅଧିକାରୀଙ୍କୁ ବଢେଇ ଦେଇ ନିରବ ରହୁଛନ୍ତି । ସ୍ବାସ୍ଥ୍ୟ, ଅଗ୍ନି ନିର୍ବାପକ, ଜଙ୍ଗଲ , ଜଳଯୋଗାଣରେ ନିୟୋଜିତ ମାତ୍ର ୫ ପ୍ରତିଶତ କର୍ମଚାରୀଙ୍କୁ ଛାଡ଼ି ସମସ୍ତେ ଭୁବନେଶ୍ବରରେ ହେବାକୁ ଥିବା ଆନ୍ଦୋଳନରେ ଯୋଗଦେବେ । ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବେ କଣ । ଦିନକୁ ଦିନ ଛଟେଇ ବୃଦ୍ଧି ପାଉଛି ।

ପୂର୍ବ ସରକାର ଆମ ଦୁଃଖ ବୁଝିଥିଲେ । ଇଏସ୍ଆଇ ସୁବିଧା ସହିତ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟି ଲାଗୁ କରିଥିଲେ । ଏବର ମୁଖ୍ୟମନ୍ତ୍ରୀ ବିରୋଧୀରେ ଥିବାବେଳେ ଆମକୁ ସମର୍ଥନ ଜଣାଇଥିଲେ । କିନ୍ତୁ କ୍ଷମତାକୁ ଆସିବା ପରେ ଆଦୌ ଆମ ସହ ଥରୁଟିଏ ଆଲୋଚନା କଲେନି । ମୁଖ୍ୟମନ୍ତ୍ରୀଙ୍କ ବିଭାଗଠୁ ଆରମ୍ଭ କରି ରାଜ୍ୟର ୪୨ଟି ବିଭାଗରେ ଏହି କର୍ମଚାରୀ କାମ କରୁଛନ୍ତି । ଗତ ୧୭ ତାରିଖରୁ ୨୧ ତାରିଖ କଳାବ୍ୟାଜ ପିନ୍ଧି ପ୍ରତିବାଦ କଲୁ । ଆନ୍ଦୋଳନ ଡାକରା ଦେଲୁ । ଅପେକ୍ଷା କରିଥିଲୁ ସରକାର ଆଲୋଚନାକୁ ଡାକିବେ । କିନ୍ତୁ ମୋହନ ସରକାର ପେଟପାଟଣା କଥା ବୁଝୁନାହାନ୍ତି । ଆସନ୍ତାକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ । ଆସନ୍ତାକାଲି ପଞ୍ଚାୟତ, ବ୍ଲକ୍ସ୍ତରରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଆନ୍ଦୋଳନରେ ଯୋଗଦେବେ । ମହାସଂଘ କହିଛି, ଉତ୍ତରପ୍ରଦେଶ ଡବଲ ଇଞ୍ଜିନ ସରକାର ହୋଇ ଆଉଟସୋର୍ସିଂ ବ୍ୟବସ୍ଥା ଉଠେଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର କାହିଁକି କର୍ମଚାରୀଙ୍କ ନ୍ୟାଯ୍ୟ ଦାବିକୁ ଅବହେଳା କରିଚାଲିଛନ୍ତି ବୋଲି ପ୍ରଶ୍ନ ଉଠିଛି ।