ସେମିଫାଇନାଲରେ ବେଲଜିୟମ ଠାରୁ ହାରିଲା ଭାରତ, ଏବେ ବ୍ରୋଞ୍ଜ୍ ପାଇଁ ଲଢ଼ିବ
1 min read
ନୂଆଦିଲ୍ଲୀ: ଅଧାରା ରହିଗଲା ଭାରତର ସୁନା ପଦକ ହାସଲ କରିବା ସ୍ୱପ୍ନ। କିନ୍ତୁ ଏବେବି ବ୍ରୋଞ୍ଜ ପଦକ ହାତେଇବା ସୁଯୋଗ ଭାରତ ପାଖରେ ରହିଛି। ସେମିଫାଇନାଲ ରାଉଣ୍ଡରେ ବେଲଜିୟମ ଠାରୁ ୫-୨ ଗୋଲରେ ପରାସ୍ତ ହୋଇଛି ପୁରୁଷ ହକି ଟିମ୍। ସେମିଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ପୁରୁଷ ହକି ଟିମ । ପ୍ରଥମ କ୍ୱାର୍ଟରରେ ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ଜାରି ରଖିପାରିନଥିଲା ଟିମ୍ ଇଣ୍ଡିଆ। ତୃତୀୟ ଏବଂ ଚତୁର୍ଥ ରାଉଣ୍ଡରେ ଭାରତ ଆଟାକ କରିବାରେ କୋହଳ କରିଦେଇଥିଲା। ଭାରତ ପକ୍ଷରୁ ହରମନ ପ୍ରୀତ୍ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ପ୍ରଥମ ଗୋଲ ଦେଇଥିବା ବେଳେ, ଦ୍ୱିତୀୟ ଗୋଲ ମନଦୀପ ସିଂହଙ୍କ ଷ୍ଟିକରୁ ଆସିଥିଲା। ସେପଟେ ବିଶ୍ୱ ଚାମ୍ପିୟନ ବେଲଜିୟମ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଫାଇନାଲକୁ ପ୍ରବେଶ କରିଛି। ବେଲଜିୟମର ପେନାଲ୍ଟି କର୍ଣ୍ଣର ସେଶାଲିଷ୍ଟ୍ ଆଲେକଜାଣ୍ଡର ହେନରିକ୍ସ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି। ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ତାଙ୍କ ଷ୍ଟିକରୁ ୩ଟି ଗୋଲ ଆସିଥିଲା।
ସୂଚନାଯୋଗ୍ୟ ଯେ, ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ହକି ଟିମ୍ ଅଲମ୍ପିକ୍ସ ସେମିକୁ ପ୍ରବେଶ କରିଥିଲା । ୧୯୮୦ ମସ୍କୋ ଅଲମ୍ପିକ୍ସ ପରେ ଭାରତ କେବେ ମଧ୍ୟ ସେମିଫାଇନାଲରେ ନିଜ ପାଇଁ ସ୍ଥାନ ପକ୍କା କରି ପାରିନଥିଲା । ଏତେ ବର୍ଷ ପରେ ପ୍ରଥମ ଥର କରି ସେମିକୁ ପ୍ରବେଶ କରିଥିବା ଭାରତୀୟ ଟିମକୁ ନେଇ ଦେଶର ପଦକ ଆଶା ସୃଷ୍ଟି ହୋଇଥିଲା । କିନ୍ତୁ ବେଲଜିୟମଠାରୁ ପରାଜୟ ପରେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ଆଶା ଅପୁରଣୀୟ ହୋଇ ରହିଛି । ତେବେ ଏବେ ମଧ୍ୟ ଭାରତ ବ୍ରୋଂଚ୍ ପଦକ ଦୌଡରେ ରହିଛି ।