ଶ୍ରୀଘ୍ର ଜ୍ବରରୁ ଉପସମ ପାଇବେ ମହାପ୍ରଭୁ, ଓଷୁଅ ଲାଗି କରିବେ ଦଇତାପତି

ପୁରୀ: ଜ୍ବରରୁ ଉପସମ ପାଇଁ ମହାପ୍ରଭୁଙ୍କୁ ଲାଗି ହେଉଛି ଓଷ । ସୁଦୁସୁଆରଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଓଷୁଅ ମହାବାହୁଙ୍କ ଅଙ୍ଗରେ ଲାଗି କରାଯାଉଛି । ମଧ୍ୟାହ୍ନଧୂପ ନୀତି ପରେ ଶୁଦ୍ଧ ସୁଆରମାନେ ଝୁଣା, ତେଲ ଓ ବିଭିନ୍ନ ଚେରମୂଳିରେ ପ୍ରସ୍ତୁତ କରିଥିବା ଓଷୁଅକୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରୁଛନ୍ତି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ଲେପନ ଆଜି ଓ କାଲି ଯାଏଁ ଚାଲିବ ।

ରାଜବୈଦ୍ୟଙ୍କ ପରାମର୍ଶରେ ଆୟୁର୍ବେଦିକ ପଦ୍ଧତିରେ ଚାଲିଛି ଚିକିତ୍ସା । ଦଶମୀଦିନ ଦଶମୁଳ ମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀବିଗ୍ରହ । ସେପଟେ ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ବଡଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧା ବିଗ୍ରହ । ସେଥିପାଇଁ ୩ ରଥର ପ୍ରାୟ ୯୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପାରାଭାଡ଼ି ଉଠି ଖପୁରି ବସିବା ପରେ ସିଂହାସନ ଓ ପ୍ରଭା କାର୍ଯ୍ୟ ଜାରି ରହିଅଛି । ତିନି ରଥର ଖପୁରୀ, ପାର୍ଶ୍ଵଦେବ ଦେବୀଙ୍କ ରଙ୍ଗ କାମ ଚାଲିଛି । ରୂପକାର ସେବକ ଖୋଦେଇ କରୁଥିବା ବେଳେ ଚିତ୍ରକର ସେବକମାନେ ରଥର ବାହ୍ୟ ଅଂଶ ଗୁଡ଼ିକରେ ରଙ୍ଗ ଦେଉଛନ୍ତି।