ନବନିଯୁକ୍ତ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗରେ ୧୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଏହି ନବନିଯୁକ୍ତ ଅଧିକାରୀମାନଙ୍କ ପାଇଁ ଲୋକସେବା ଭବନର କନଭେନ୍ସନ ହଲରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନବନିଯୁକ୍ତି ଅଧିକାରୀଙ୍କୁ ଦିଗଦର୍ଶନ ଦେଇଥିଲେ । ସେମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ଆୟ ବୃଦ୍ଧି ଦିଗରେ ଲୋକମାନଙ୍କୁ ମତ୍ସ୍ୟ ଚାଷ ସକାଶେ ପ୍ରୋତ୍ସାହନ ଦେବା ଲାଗି ସହକାରୀ ମତ୍ସ୍ୟ ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ ।

ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡିଶା ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ନମ୍ବର ଓ୍ବାନ ହେବାକୁ ମିସନ ମୋଡ ଜରିଆରେ କାମ କରିବା ଲାଗି ନୂଆ ଅଫିସରମାନଙ୍କୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । । ଫାଇଭ-ଟି ନୀତି ଉପରେ ଗୁରୁତ୍ବାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି- ଟିମ୍ ଓ୍ବାର୍କ, ଟେକନୋଲୋଜି, ଟ୍ରାନ୍ସପରେନ୍ସି ଓ ଟାଇମକୁ ଅବଲମ୍ବନ କରିବା ଜରିଆରେ ରୂପାନ୍ତରଣ ସମ୍ଭବ ହେବ । ମୁଖ୍ୟମନ୍ତ୍ରୀ ଆଗକୁ କହିଥିଲେ, ଗତ ଦୁଇ ଦଶନ୍ଧିରେ ରାଜ୍ୟ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଗତ ଆର୍ଥିକ ବର୍ଷରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୧୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି ।

ଏହି ଦୁଇ ଦଶନ୍ଧିରେ ରାଜ୍ୟରେ ସିଫୁଡ ରପ୍ତାନୀ ୧୨ ଗୁଣା ବଢ଼ିଛି । ଏହି ଅବସରରେ 5-ଟି ସଚିବ ଭିକେ ପାଣ୍ଡିଆନ ‘ମୋ ସରକାର’ର ଜନାଦେଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଲୋକମାନଙ୍କଠାରୁ ମତାମତ ଗ୍ରହଣ କରି ଏହା ଉପରେ କାର୍ଯ୍ୟ କରିବା ଦ୍ୱାରା ସରକାରଙ୍କ ଉପରେ ଲୋକଙ୍କ ଭରସା ଓ ବିଶ୍ୱାସ ବଢ଼ିବ । ଯୁବ ଅଧିକାରୀମାନେ ରାଜ୍ୟର ଭିଜନକୁ ପୂରଣ କରିବା ପାଇଁ କଠନ ପରିଶ୍ରମ କରନ୍ତୁ ବୋଲି ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ କୃଷି ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭାଗୀୟ ସଚିବ ସୁରେଶ ବଶିଷ୍ଟ, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।