ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା, ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

1 min read

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ଆଜି ବଢ଼ିବ ବର୍ଷାର ପରିମାଣ । ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାରେ ରହିବ ପ୍ରଭାବ । ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପାଇଁ ଅରେଞ୍ଜ ଚେତାବନୀ ଜାରି ହୋଇଛି । ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୨୦ ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି ।

ପାରାଦ୍ୱୀପ ରାଡାରରୁ ମିଳୁଥିବା ତଥ୍ୟ ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗିରହିଥିବା ବେଳେ ଆଉ କିଛି ଉପକୂଳ ଅଞ୍ଚଳକୁ ଏହି ବର୍ଷା ବିସ୍ତାର କରିବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ଏବଂ ମିଆଁମାର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହୋଇଛି । ଚଳିତବର୍ଷ ଜୁନ୍ ପହିଲାରୁ ୨୨ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୯୪୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୨୨.୯ ମିଲିମିଟର ତୁଳନାରେ ୧୪ ପ୍ରତିଶତ ଅଧିକ । ଏହି ସମୟ ମଧ୍ୟରେ କନ୍ଧମାଳରେ ସ୍ୱାଭାବିକଠାରୁ ୭୧ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।