ପହଲଗାଓଁ ହମଲାରେ ଆତଙ୍କୀ ପୋଛିଦେଇଥିଲେ ସିନ୍ଦୂର, ମାନ ରକ୍ଷା ଲାଗି ସରକାର କଲେ ଅପରେସନ ସିନ୍ଦୂର

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ହାର୍ଟରେ ବାଜିଲା ଅପରେସନ ସିନ୍ଦୂର ଶର। ଭାରତର ପ୍ରିସିସନ ଏୟାରଷ୍ଟ୍ରାଇକରେ କ୍ଷତାକ୍ତ ପଡ଼ୋଶୀ ରାଷ୍ଟ୍ର। ଏପ୍ରିଲ ୨୨ ପହଲଗାଓଁ ଆତଙ୍କୀ ହମଲାରେ ଲିଭିଥିଲା ଭାରତୀୟ ମହିଳାଙ୍କ ସିନ୍ଦୂର। ଆଉ ସିନ୍ଦୂରର ମାନ ରକ୍ଷା ଲାଗି ରାତିଅଧିଆ ଏୟାର ଷ୍ଟ୍ରାଇକ। ସାରା ବିଶ୍ବ ଶୋଇଥିବାବେଳେ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। କେବଳ ଏତିକି ନୁହେଁ ବୈଦେଶିକ ବ୍ୟାପାର ପ୍ରେସମିଟରେ ବି ସରକାର ଦେଖାଇଥିଲେ ନାରୀ ଶକ୍ତିର ଦମ। ପ୍ରେସମିଟରେ ସାମିଲ ଥିଲେ ବିଦେଶ ସଚିବ ବିକ୍ରମ ମିସ୍ରି, ୱିଙ୍ଗ କମାଣ୍ଡର ଭୂମିକା ସିଂଓ କର୍ଣ୍ଣେଲ ସୋଫିଆ କ୍ୟୁରେସି। ଇତିହାସରେ ପ୍ରଥମ ଥର ଲାଗି ପାକିସ୍ତାନର ହାର୍ଟ ଉପରେ ଷ୍ଟ୍ରାଇକ କରିଛି ଭାରତ। ହେଲେ ଇତିହାସରେ ବି ପ୍ରଥମ ଥର ଲାଗି ଭାରତୀୟ ବାୟୁସେନାର ଦୁଇ ମହିଳା ଅଧିକାରୀ କରିଛନ୍ତି ପ୍ରେସ ବ୍ରିଫିଂ।
ଏବେ ଆସନ୍ତୁ ନଜର ପକାଇବା କିଏ ଏହି ଦୁଇ ମହିଳା ଅଫିସର ଯାହାଙ୍କ ଲାଗି ସାରା ଦେଶରେ ଚର୍ଚ୍ଚା। କର୍ଣ୍ଣେଲ ସୋଫିଆ କ୍ୟୁରେସି ହେଉଛନ୍ତି ଆର୍ମିର କର୍ପ୍ସ ଅଫ ସିଗନାଲ୍ସ। ମାତ୍ର ୩୫ ବର୍ଷ ବୟସରେ ଦେଖାଇଛନ୍ତି ଅପରିସୀମ ପରାକ୍ରମ । ମଲ୍ଟି ନ୍ୟାସନାଲ ମିଲିଟାରୀ ଏକ୍ସରସାଇଜରେ ଆର୍ମି କଣ୍ଟିଜେଣ୍ଟକୁ ଲିଡ କରିବାରେ ସୋଫିଆ ହେଉଛନ୍ତି ପ୍ରଥମ ମହିଳା ଅଫିସର। ମାର୍ଚ୍ଚ ୨୦୧୬ରେ ପୁଣେରେ ଅନୁଷ୍ଠିତ ଏକ୍ସରସାଇଜରେ ସାମିଲ ହୋଇଥିଲେ ଭାରତ ସମେତ ୧୮ ରାଷ୍ଟ୍ର। ସାହସ ଓ ଶକ୍ତିର ପ୍ରତୀକ ସୋଫିଆ।
ୱିଙ୍ଗ କମାଣ୍ଡର ଭୂମିକା ସିଂ ବାୟୁସେନାରେ ଦେଖାଇଛନ୍ତି ଦମ। ଏନସିସିରେ ସାମିଲ ହେବା ସହ ଆର୍ମିରେ ଯୋଗଦେଇଥିଲେ ଭୂମିକା। ସେ ହେଲିକପ୍ଟର ପାଇଲଟ ହେବା ସହ ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ଭୂମିକାଙ୍କର ରହିଛି ୨, ୫୦୦ ଘଣ୍ଟା ଉଡାଣର ଅଭିଜ୍ଞତା। ଚେତକ ଓ ଚିତା ହେଲିକପ୍ଟର ଉଡାଣରେ ରହିଛି ଦକ୍ଷତା।
ଭାରତୀୟ ସେନାରେ ମହିଳାଙ୍କ ଉପସ୍ଥିତି ବଢୁଥିବା ତଥା ଲିଙ୍ଗଗତ ସମାନତାକୁ ପ୍ରାଧାନ୍ୟ ଦେଇଥିଲେ ସରକାର। ସର୍ବୋଚ୍ଚ ସ୍ତରରେ ଅର୍ଥାତ ନିରାପତ୍ତା, ଷ୍ଟ୍ରାଟେଜି ଓ ଯୋଗାଯୋଗ କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ କରାଯାଇଛି ପ୍ରତିପାଦିତ।
ଆତଙ୍କୀମାନେ ଭାରତୀୟ ପୁରୁଷଙ୍କୁ ହିଁ ଟାର୍ଗେଟ କରିଥିଲେ। ଫଳରେ ମହିଳାମାନେ ଅକାଳ ବୈଧବ୍ୟର ଶିକାର ହୋଇଥିଲେ। ଏନେଇ ଗତ ସପ୍ତାହରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ବିଶେଷ ଚିନ୍ତାପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ। ପରିବାରର ଦୁଃଖକୁ ଲାଘବ କରିବା ଲାଗି ଆତଙ୍କବାଦ ବିରୋଧରେ କି କି ପଦକ୍ଷେପ ନିଆଯାଇପାରିବେ ସେନେଇ ସେନା, ନୌସେନା ଓ ବାୟୁସେନା ସହ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏତେ ଆଲୋଚନା ପରେ ମୋଦି ନିଜେ ଅପରେସନ ସିନ୍ଦୂର ନାମକରଣ କରିଥିଲେ ।
ପହଲଗାଓଁ ହମଲାରେ କେଉଁମାନଙ୍କ ମଥାରୁ ହଜିଯାଇଥିଲା ସିନ୍ଦୂର ଯେଉଁଥିଲାଗି ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। ସେମାନେ ହେଲେ ଉତ୍ତରପ୍ରଦେଶ ଶୁଭମ ଦ୍ବିବେଦୀଙ୍କ ପତ୍ନୀ ଐଶନ୍ୟା, ଗୁଜରାଟର ଶୈଳଶ କାଲାଥିଆଙ୍କ ପତ୍ନୀ ଶୀତଲ, କୋଲକାତାର ବିତାନ ଅଧିକାରୀଙ୍କ ପତ୍ନୀ ସୋହିନ, ଗୁଜରାଟର ଯତିଶଭାଇ ପରମାରଙ୍କ ପତ୍ନୀ କାଜଲବେନ, ମହାରାଷ୍ଟ୍ର ସନ୍ଦୋଷ ଜଗଦେଲଙ୍କ ପତ୍ନୀ ପ୍ରଗତି, କୋଚିର ଏନ. ରାମଚନ୍ଦ୍ରନଙ୍କ ପତ୍ନୀ ଶୀଲା, ମଧ୍ୟପ୍ରଦେଶର ସୁଶୀଲ ନାଥନିଲଙ୍କ ପତ୍ନୀ ଜେନିଫର, ପଶ୍ଚିମବଙ୍ଗର ସମୀର ଗୁହାଙ୍କ ପତ୍ନୀ ଶବୋରୀ, ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଆଇବି ଅଫିସର ମନୀଷ ରଞ୍ଜନଙ୍କ ପତ୍ନମୀ ଜୟା ମିଶ୍ର। ଏହି ମହିଳାମାନଙ୍କ ମଥାରୁ ତ ସବୁଦିନ ଲାଗି ହଜିଗଲା ସିନ୍ଦୂର ହେଲେ ଆଜିର ଅପରେସନ ସିନ୍ଦୂର ସେମାନଙ୍କୁ ଦେଇଛି ଅଦମ୍ୟ ସାହସ, ଶକ୍ତି।