ଭୂତାଣୁ ସହ ଯୁଦ୍ଧ ସମୟରେ ବି ନିର୍ବାଚନ ନିଶା

ଭୁବନେଶ୍ୱର(ଶତ୍ରୁଘ୍ନ ବିଶ୍ୱାଳ): ପୌର ନିର୍ବାଚନ ନେଇ ରାଜନୀତି । ସମ୍ବିଧାନର ଦ୍ୱାହି ଦେଇ ସ୍ୱର ଉଠାଇଲେ ବିରୋଧୀ । ପୌର ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବାର ବର୍ଷେ ଉପରେ ହେଲାଣି । କିନ୍ତୁ ନିର୍ବାଚନ ପ୍ରତି ଦୃଷ୍ଟି ଦିଆଯାଉନାହିଁ ବୋଲି ବିରୋଧୀ କହିଛନ୍ତି । ବିଜେଡି ଏହାର ଜବାବ ରଖିଛି ।

ଜୀବନ ସଂଗ୍ରାମ ବେଳେ ରାଜନୀତି । ଭୂତାଣୁ ସହ ଯୁଦ୍ଧ ସମୟରେ ବି ନିର୍ବାଚନ ନିଶା । ପୌର ନିର୍ବାଚନ ପାଇଁ ବିରୋଧୀଙ୍କ ଦାବି । କଟକଣା ଭିତରେ ବି ହେଉ ନିର୍ବାଚନ । ଏଭଳି ଦାବି ରଖିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କହିଛନ୍ତି, କାର୍ଯ୍ୟକାଳ ସରିବାର ବର୍ଷେ ପରେ ବି ପୌର ନିର୍ବାଚନ ହୋଇନାହିଁ । ଆଗରୁ ନିଷ୍ପତ୍ତି ହୋଇଥିଲେ ନିର୍ବାଚନ ସରିଥାନ୍ତା । କିନ୍ତୁ ଏବେ କରୋନା ସଂକ୍ରମଣ ଯୋଗୁ କେନ୍ଦ୍ର ଉପରେ ରାଜ୍ୟ ସରକାର ଦୋଷ ଦେବେ ବୋଲି ବିଜେପି କହିଛି । କଂଗ୍ରେସ କହିଛି, ସାମାଜିକ ଦୂରତା ରକ୍ଷାକରି ନିର୍ବାଚନ କରିହେବ ।

ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି । କରୋନା ସମୟରେ ରାଜ୍ୟସଭା ଉପନିର୍ବାଚନ ବି ହେଉନାହିଁ । କରୋନା ପାଇଁ ସମସ୍ତେ ଭୟଭୀତ । ସୁପ୍ରିମ୍‌କୋର୍ଟରେ ମାମଲା ମଧ୍ୟ ରହିଛି । ଆଇନରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି । କହିବା ସହଜ । କିନ୍ତୁ ନିର୍ବାଚନ ହୋଇନାହିଁ ବୋଲି କାମ ହେଉନାହିଁ କହିବା ଭୁଲ ବୋଲି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ।

ପୌର ନିର୍ବାଚନ ପ୍ରସଙ୍ଗ ପୂର୍ବରୁ ଅନେକ ଥର ଉଠିଛି । କିନ୍ତୁ ମାମଲା ସୁପ୍ରିମକୋର୍ଟରେ ଥିବାରୁ ନିର୍ବାଚନ ହୋଇପାରିନାହିଁ । ଏବେ ପୌରପାଳିକାର ସମସ୍ତ କାମ ପୌର ଅଧିକାରୀ ଏବଂ ପୂର୍ବତନ ଲୋକ ପ୍ରତିନିଧିମାନେ ମିଶି କାମ କରୁଛନ୍ତି । ସ୍ଥିତି ସ୍ୱାଭାବିକ ହେଲେ ନିର୍ବାଚନ ନେଇ ସମସ୍ତେ ଆଶାବାଦୀ ଅଛନ୍ତି ।

Leave a Reply