ବଜେଟ ଅଧିବେଶନ ପାଇଁ ବିଧାନସଭାରେ ପହଞ୍ଚିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
1 min readଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । ଏହା ମଧ୍ୟରେ ଦିନ ୧୧ଟାରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ତେବେ ବଜେଟ ଅଧିବେଶନରେ ସାମିଲ ହେବା ପାଇଁ ବିଧାନସଭାରେ ପହଞ୍ଚିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅଧିବେଶନ ପାଇଁ ତିନି ଦଳ ବିଜେପି, ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ବିରୋଧୀ ଦଳ ବିଜେଡି ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନାକୁ ମୁଖ୍ୟ ପ୍ରସଙ୍ଗ କରିବ। ଏହାସହ ଚାଷୀ, ଧାନ ମଣ୍ଡି ଅବ୍ୟବସ୍ଥା ସହିତ କଟ ନି ଛଟନି ଆଦି ପ୍ରସଙ୍ଗକୁ ଉଠାଇ ଶାସକ ଦଳକୁ ଘେରିବ। ସେହିପରି କଂଗ୍ରେସ ଏସବୁ ପ୍ରସଙ୍ଗ ସହିତ ବାରବାଟୀ ଷ୍ଟାଡିୟମ ଅବ୍ୟବସ୍ଥା, ନିର୍ବାଚନୀ ପ୍ରତିଶ୍ରୁତି ଆଦିକୁ ଗୃହରେ ପ୍ରମୁଖ ପ୍ରସଙ୍ଗ କରିବ । ଶାସକ ବିଜେପି ୮ ମାସ ରେ ସରକାରଙ୍କ ସଫଳତା ସହିତ ବିକଶିତ ଓଡିଶା ଗଠନକୁ ଗୃହରେ ରଖିବ । ଦୁଇ ବିରୋଧୀଙ୍କ ସବୁ ଅଭିଯୋଗର ଆଲୋଚନା ମାଧ୍ୟମରେ ଜବାବ ଦେବାକୁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଛି । ଯାହାକୁ ନେଇ ଏଥର ବଜେଟ ଅଧିବେଶନ ସରଗରମ ହେବା ଆଶା କରାଯାଉଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବଜେଟ ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି । ୧୭ ତାରିଖ ଦିନ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ ।