ରାଜ୍ୟ ପୋଲିସକୁ ଜୟନାରାୟଣଙ୍କ ନିନ୍ଦା, ତାତିଲେ କର୍ମଚାରୀ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ପୋଲିସକୁ ଜୟନାରାୟଣ ମିଶ୍ରଙ୍କ ନିନ୍ଦାକୁ ଅବସରପ୍ରାପ୍ତ ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ତୀବ୍ର ବିରୋଧ । ବିରୋଧିଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଆଜି ନିଜ ସୁରକ୍ଷା ଅଧିକାରୀଙ୍କୁ ଫେରାଇଦେବା ସହ, ରାଜ୍ୟ ପୋଲିସ ବିରୋଧରେ କଟୁ ସମାଲୋଚନା କରିଥିଲେ । ଏପରିକି ରାଜ୍ୟ ପୋଲିସ ଅପରାଧ ପ୍ରବଣ ବୋଲି ମଧ୍ୟ କହିଥିଲେ । ଯାହାକୁ ଜୟନାରାୟଣଙ୍କ ପିଲାଳିଆମି ବୋଲି କହିଛନ୍ତି ।

ଅନେକ ସମୟରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଯୋଗୁ ଅନେକ ରାଜନେତାଙ୍କ ଜୀବନ ରକ୍ଷା ହୋଇପାରିଛି । ସୁଦାମ ମାରାଣ୍ଡିଙ୍କ ଜୀବନ ରକ୍ଷା କରିବାକୁ ଯାଇ ଦୁଇଜଣ ସୁରକ୍ଷା ଅଧିକାରୀ ସହିଦ ହୋଇଯାଇଥିଲେ । ଏପରି ଅନେକ ଉଦାହରଣ ରହିଛି, ଯେଉଁଠି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ, ରାଜନେତା ଓ ଅନ୍ୟ ଅଧିକାରୀଙ୍କୁ ଅନେକ ବିପଦରୁ ରକ୍ଷା କରିପାରିଛନ୍ତି ।

ଜଣେ ପୋଲିସ ଅଧିକାରୀଙ୍କ ଭୁଲ ଯୋଗୁ ରାଜ୍ୟର ସମସ୍ତ ପୋଲିସଙ୍କୁ ଦୋଷୀ କହିବା ଓ ଅପରାଧପ୍ରବଣ କହିବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠିଛି । ଜୟନାରାୟଣ ମିଶ୍ର ବିରୋଧିଦଳ ନେତା ଅଛନ୍ତି, ତାଙ୍କ ମୁହଁରୁ ଏଭଳି କଥା ସଭ୍ୟ ସମାଜଙ୍କୁ ଭୁଲ ବାର୍ତ୍ତା ଦେଉଛି । ଜୟନାରାୟଣଙ୍କ ମନ୍ତବ୍ୟ ପୋଲିସର ମନୋବଳକୁ ଦୁର୍ବଳ କରିବା ଆଶଙ୍କା ରହିଛି । ତେଣୁ ବାରମ୍ବାର ପୋଲିସକୁ ସମାଲୋଚନା କରିବାରୁ ଜୟନାରାୟଣ ମିଶ୍ର କ୍ଷ୍ୟାନ୍ତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନେ କହିଛନ୍ତି  ।