ଭର୍ତ୍ତୃହରିଙ୍କୁ ବିରୋଧ କଂଗ୍ରେସର ଓଡ଼ିଶା ବିରୋଧୀ ମନୋଭାବ: ବିଜେପି

ଭୁବନେଶ୍ବର: ସଂସଦରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ କଂଗ୍ରେସ ବିରୋଧ କରିବା ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସକୁ ବିଜେପିର ଟାର୍ଗେଟ । ଭର୍ତ୍ତୃହରିଙ୍କୁ ବିରୋଧ କଂଗ୍ରେସର ଓଡିଶା ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଥିବା କହିଛି ବିଜେପି ଅଭିଯୋଗ ।

ଦଳ ପକ୍ଷରୁ କୁହାଯାଇଛି, କଂଗ୍ରେସ ସବୁବେଳେ ଓଡ଼ିଆ ବିରୋଧୀ । କଟକ ସାଂସଦ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ ଭାର ନେଇଥିବା ବେଳେ ସଂସଦରେ ତାଙ୍କୁ ବିରୋଧ କରିଛି କଂଗ୍ରେସ, ଯାହା ନିନ୍ଦନୀୟ ।

ଦଳ ପକ୍ଷରୁ କୁହାଯାଇଛି, ଭର୍ତ୍ତୃହରି ଜଣେ ଅଭିଜ୍ଞ ରାଜନେତା । ସେ ଲଗାତର ୭ ଥର ସାଂସଦ ହୋଇଛନ୍ତି । ତାଙ୍କୁ ଏଭଳି  ଅପମାନ କରିବା ଉଚିତ ନୁହେଁ । ଅତୀତରେ କଂଗ୍ରେସ ସରକାର ସମୟରେ ଯେତେବେଳେ ଓଡିଶା ପାଇଁ ଅର୍ଥର ଆବଶ୍ୟକତା ଥିଲା ସେତେବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ କହିଥିଲେ ଟଙ୍କା ଗଛରେ ଫଳେ ନାହିଁ । ଏବେ ଓଡିଶା ଆଉ ଓଡ଼ିଆଙ୍କୁ ମୋଦୀ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ସର୍ବାଧିକ ପଦ୍ମ ପୁରସ୍କାର ଓଡିଶାକୁ ଦେଇଛନ୍ତି ମୋଦି ସରକାର । ଓଡ଼ିଶାର ଝିଅକୁ ସର୍ବୋଚ୍ଚ ଆସନରେ ବସାଇଛନ୍ତି । ଓଡ଼ିଆ ଅଧିକାରୀଙ୍କୁ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ।

ଏହାସହ ଓଡ଼ିଆ ବିରୋଧୀ ମନୋଭାବରୁ କ୍ଷାନ୍ତ ରହିବାକୁ କଂଗ୍ରେସକୁ ଚେତାବନୀ ଦେଇଛି ଦଳ । ଆସନ୍ତାକାଲି ଜୁନ ୨୫ ତାରିଖକୁ ବିଜେପି କଳା ଦିବସ ଭାବେ ପାଳନ କରିବ । ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରାଯିବ । ଦେଶର ସମସ୍ତ ରାଜ୍ୟରେ ମଧ୍ୟ ଏହାକୁ ପାଳନ କରାଯିବ । ଜରୁରୀକାଳୀନ ପରିସ୍ଥିତିର ବିଭୀଷିକାକୁ ଲୋକଙ୍କ ପାଖେ ରଖାଯିବ ବୋଲି ବିଜେପି କହିଛି ।