ପୁଣି ତେଜିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ଦାବି

1 min read

ପୁରୀ: ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର । ଏଥର ଫଟୋ କିମ୍ବା ଭିଡିଓ ଭାଇରାଲ ପାଇଁ ନୁହେଁ । ବରଂ ବହୁଚର୍ଚ୍ଚିତ ରତ୍ନ ଭଣ୍ଡାର ପ୍ରସଙ୍ଗ ପାଇଁ । ପୁଣି ତେଜିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା । ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲି ଅଳଙ୍କାର ଆକଳନ କରିବାକୁ ପୁରୀରେ ଦାବି ଜୋର ଧରିଛି । ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତିକୁ ସାବର୍ଜନୀନ କରିବାକୁ ଦାବି କରି ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ସେବାୟତ, ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ରତ୍ନ ଭଣ୍ଡାର ଖୋଲିବା ଦାବି ଜୋର କରିଛନ୍ତି । ଏଥି ସହିତ ଚାବି ହଜିବା ଘଟଣାକୁ ନେଇ କମିଶନର ଜଷ୍ଟିସ ରଘୁବୀର ଦାସଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ମଧ୍ୟ ଦାବି କରିଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଥିଲା । ସଶସ୍ତ୍ର ପୋଲିସ, ଅଗ୍ନିଶମ ବାହିନୀ, ମେଡିକାଲ ଟିମ୍‌, ସ୍ନେକ ହେଲ୍ପ ଲାଇନ୍‌, ବଛାବଛା ୧୭ ଜଣ ଅଧିକାରୀ ପହଞ୍ଚିଥିଲେ ଶ୍ରୀମନ୍ଦିରରେ । ରତ୍ନ ଭଣ୍ଡାର ଖୋଲାକୁ ବିରୋଧ କରି ସେବାୟତ, ବୁଦ୍ଧିଜୀବୀ, ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସଂଗଠନ ସ୍ୱର ଉେତ୍ତାଳନ କରିବା ସତ୍ତ୍ୱେ ପ୍ରଶାସନ ପହଞ୍ଚିଥିଲା ରତ୍ନ ଭଣ୍ଡାର ନିକଟରେ । ହେଲେ ପାଖରେ ନଥିଲା ରତ୍ନ ଭଣ୍ଡାର ଚାବି । ଫଳରେ ନିରାଶ ହୋଇ ଫେରିଥିଲା ପ୍ରଶାସନ ।

ତେବେ ଚାବି ହଜିଥିବା କଥା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରତ୍ନ ଭଣ୍ଡାର ଓ ପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି କି ନା ସେ ନେଇ ଭକ୍ତ ମହଲରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିଲା । ଘଟଣାର କିଛିଦିନ ପରେ ରେକର୍ଡ ରୁମରୁ ଚାବି ମିଳିବା କଥା ତତ୍କାଳୀନ ଜିଲ୍ଲାପାଳ କହିବା ପରେ ଭକ୍ତ ମହଲରେ ସନ୍ଦେହ ଦ୍ୱିଗୁଣିତ ହୋଇଥିଲା । ଫଳରେ ସାଧାରଣରେ ଚାବି ମିଳିବା ଘଟଣାକୁ ସହଜରେ ଗ୍ରହଣ ହୋଇପାରି ନଥିଲା ଓ ଏନେଇ ଏପର୍ଯ୍ୟନ୍ତ ମଧ୍ୟ ରହସ୍ୟ ଲାଗି ରହିଛି ।

ତେବେ ଅସେନ୍ତାଷର ନିଆଁ ଜଳିବା ପରେ ରାଜ୍ୟ ସରକାର ତଦନ୍ତ କମିଶନ ବସାଇ ଥିଲେ । ସେହିଦିନ ଠାରୁ ଭକ୍ତସମାଜ ଚୁପ୍‌ ବସିଥିବା ବେଳେ ଏବେ ପୁଣି ରତ୍ନ ଭଣ୍ଡାର ଖୋଲିବା ଦାବି ଜୋର ଧରିଛି । ')}

Leave a Reply