‘ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି’

ନୂଆଦିଲ୍ଲୀ: ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି । ଯିଏ ଯାହା ବି କହୁ, ମୋଠୁ କେବଳ ଅଜସ୍ର ଭଲ ପାଇବା ପାଇବ । କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରାରେ ରାହୁଲ ଗାନ୍ଧୀଙ୍କ ଏଭଳି ଭାଷଣ ଏବେ ଭାଇରାଲ ହେଉଛି । ସମସ୍ତଙ୍କୁ ଭାରି ପସନ୍ଦ ଆସୁଛି । ବର୍ତ୍ତମାନ ରାଜସ୍ଥାନରେ ଜାରି ରହିଛି ଭାରତ ଯୋଡ଼ୋ ପଦଯାତ୍ରା । ୧୦୦ ଦିନରୁ ଅଧିକ ସମୟ ଧରି ରାହୁଲ ଦେଶରେ ପଦଯାତ୍ରା କରିବା ସହ ବହୁ ଲୋକଙ୍କୁ ଭେଟୁଛନ୍ତି । ରାହୁଲଙ୍କ ଭାରତ ଯୋଡ଼ୋ ପଦଯାତ୍ରାକୁ ମଧ୍ୟ ବେଶ ସଫଳତା ମିଳିବାରେ ଲାଗିଛି ।

ରାଜସ୍ଥାନରେ ଏକ ଜନସଭାରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି । ଟୁଇଟରରେ ରାହୁଲଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ବିଜେପି ନେତାଙ୍କ ଉଦ୍ଦେଶ୍ୟରେ ସେ ଏହି ଦୋକାନ ଖୋଲିଥିବା କହିଛନ୍ତି । ଭିଡିଓରେ ରାହୁଲ କହିଛନ୍ତି, ତୁମେ ମୋତେ ଘୃଣା କର, ମୋତେ ଗାଳି ଦିଅ । ଏସବୁ ଆପଣଙ୍କ ହୃଦୟର କଥା । ଆପଣଙ୍କ ବଜାର ଘୃଣାର । ମୋ ଦୋକାନ ପ୍ରେମର ।

ଏ ପ୍ରେମର ଦୋକାନ ଖାଲି ତାଙ୍କର ନୁହେଁ, ଏହା ପୂରା ସଂଗଠନର ବୋଲି କହିଛନ୍ତି । ଭାରତ ଯୋଡ଼ୋ ପଦଯାତ୍ରା ସମୟରେ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି ରାହୁଲ ଗାନ୍ଧୀ । ଭାରତ ଯୋଡୋ ଯାତ୍ରାକୁ ଭାରତ ତୋଡୋ ଯାତ୍ରା ବୋଲି ବିଜେପି ନେତା କହିଛନ୍ତି । କିନ୍ତୁ ଏହାକୁ ଖାତିର କରିନାହାନ୍ତି ରାହୁଲ ଗାନ୍ଧୀ । ତାଙ୍କର ଏହି ଯାତ୍ରାରେ ଲକ୍ଷାଧିକ ଲୋକ ଏବେ ଯୋଡ଼ି ହେଲେଣି ।