ଚଳିତବର୍ଷ ହବିଷ୍ୟାଳୀ ଯୋଜନାରେ ଅନ୍ତର୍ଭୁକ୍ତ ହେବେ ମାତ୍ର ୨୫ ଶହ, ସରକାରଙ୍କ ପାରିବା ପଣିଆକୁ ନେଇ ଉଠିଲା ପ୍ରଶ୍ନ

1 min read

ଭୁବନେଶ୍ବର: ଚଳିତବର୍ଷ ପୁରୀରେ ହବିଷ୍ୟାଳୀ ଯୋଜନାରେ କେବଳ ୨୫ ଶହ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏନେଇ ଆଗାମୀ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ପଞ୍ଜିକରଣ ଆରମ୍ଭ ହେବା ସହ ଯୋଗ୍ୟ ହିତାଧିକାରୀ ୧୭ ତାରିଖ ଦିନ ପୁରୀରେ ପହଞ୍ଚି ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ତେବେ ୪ଟି ଶିବିରରେ ମାଆମାନଙ୍କ ମାଗଣାରେ ରହିବା, ମହାପ୍ରସାଦ ସେବନ, ଦର୍ଶନ ଓ ପୂଜାପାଠର ବ୍ୟବସ୍ଥା ସହ ଆନୁସଙ୍ଗିକ ସୁବିଧା ଯୋଗାଇଦେବ ପ୍ରଶାସନ । ସ୍ପଟ ପଞ୍ଜିକରଣକୁ ମନା କରାଯାଇଥିବା ବେଳେ ସଂଖ୍ୟା ୨୫ ଶହ ମଧ୍ୟରେ ସୀମିତ ରହିଥିବାରୁ ରାଜ୍ଯ ସରକାରଙ୍କ ପାରିବା ପଣିଆ ଉପରେ ଆକ୍ଷେପ କରିଛନ୍ତି ସଂସାଦ ଓ ସେବାୟତ ।

ୱେବସାଇଟ୍ redistrict.odisha.gov.in ମାଧ୍ୟମରେ ହାବିଷ୍ୟାଳୀମାନେ ପଞ୍ଜିକରଣ କରିପାରିବେ । ଆଗାମୀ ୬ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା । ଚଳିତବର୍ଷ ସ୍ପଟ ପଞ୍ଜିକରଣ ହେବ ନାହିଁ । କେବଳ ୨୫ ଶହ ହବିଷ୍ଯାଳୀଙ୍କ ପାଇଁ ୪ଟି ଶିବିରରେ ହେବ ବ୍ଯବସ୍ଥା । ଆସନ୍ତା ୧୭ ତାରିଖରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଶିବିରରେ ରଖାଯିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଗତ ବିଜେଡି ସରକାର ସମୟର ଏକ ପ୍ରମୁଖ ଯୋଜନା ଥିଲା ହବିଷ୍ଯାଳୀ ଯୋଜନା । ଏହାଦ୍ବାରା ବହୁ ଗରିବ ଗୁରୁବା ମାଆମାନେ ଉପକୃତ ହେଉଛନ୍ତି । ଗତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୨ ଶହ ମାଆ ଏହି ଯୋଜନାରେ ଉପକୃତ ହୋଇଥିଲେ । ଚଳିତବର୍ଷ ସଂଖ୍ୟା ବୃଦ୍ଧି ହେବ ପରିବର୍ତ୍ତେ କମାଇ ଦିଆଯାଇଥିବାରୁ ବିଜେପି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟସଭା ସାଂସଦ । ପୂର୍ବରୁ ସ୍ପଟ ପଞ୍ଜିକରଣ ବ୍ୟବସ୍ଥା ଥିବା ବେଳେ ଚଳିତବର୍ଷ ଏହାକୁ ଉଠାଯାଇଥିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ।