୮ ଥର ଫୋନ କରି ଅମ୍ବାନୀ ପରିବାରକୁ ହତ୍ୟା ଧମକ, ଉଠାଇ ନେଲା ପୋଲିସ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ପୁଣି ମିଳିଲା ହତ୍ୟା ଧମକ । ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ନମ୍ବରକୁ ୮ ଥର ଫୋନ କରି ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ  । ପୁରା ପରିବାରକୁ ତିନି ଘଣ୍ଟାରେ ହତ୍ୟା କରିବ ବୋଲି ଚେତାବନୀ ଦିଆଯାଇଛି  । ତେବେ ଏହି ମାମଲାରେ ମୁମ୍ବାଇର ଦହିସରରୁ ଜଣଙ୍କୁ ଉଠାଇ ନେଇଛି ପୋଲିସ  ।

ଫୋନ କରିଥିବା ବ୍ୟକ୍ତି ଜଣକ ମାନସିକ ବିକାରଗ୍ରସ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  । ତଥାପି ପୋଲିସ ତାକୁ ପଚରାଉଚୁରା ଜାରି ରଖିଛି  । ଧମକ ଅଭିଯୋଗ ହେବା ପରେ ମୁମ୍ବାଇ ପୋଲିସ ଆଲର୍ଟ ହୋଇଯାଇଥିଲା  । ଅମ୍ବାନୀ ପରିବାର ଓ ଆଣ୍ଟାଲିଆର ସୁରକ୍ଷାକୁ କଡାକଡି କରିଦିଆଯାଇଛି  ।

ଧମକ ମିଳିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି  । ମୁମ୍ବାଇ ପୋଲିସ ତିନୋଟି ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା  । ଜଣେ ହି ଦୁର୍ବୃତ୍ତ ଏକାଧିକ ଥର ଫୋନ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି  । ଫୋନ୍‌ କରିଥିବା ବ୍ୟକ୍ତିର ଲୋକେସନ ଟ୍ରେସ କରି ପୋଲିସ ତାକୁ ଉଠାଇ ନେଇଛି  ।

ରିଲାଏନ୍ସ ହସ୍ପିଟାଲକୁ ଫୋନ କରି ଦୁର୍ବୃତ୍ତ ପ୍ରଥମେ ଏହାର ଚେୟାରମ୍ୟାନ୍‌ଙ୍କୁ ହତ୍ୟା ଧମକ ଦେଇଥିଲା  । ଏହାପରେ ସକାଳ ୧୦ଟା ୪୫ ରୁ ଦିନ ୧୨ଟା ଯାଏଁ ଆଠରୁ ନଅ ଥର ଫୋନ କରି ମୁକେଶ ଅମ୍ବାନୀଙ୍କ ପରିବାରକୁ ହତ୍ୟା ଧମକ ଦେଇଥିଲା ଦୁର୍ବୃତ୍ତ  ।