ବିଶ୍ବାସରେ ବିଷ: ମହିଳାଙ୍କ ଆକାଉଣ୍ଟରୁ ୫ ଲକ୍ଷ ହଡ଼ପ ଘଟଣାରେ ଜଣେ ଗିରଫ

1 min read

ବଲାଙ୍ଗୀର: ବିଶ୍ବାସରେ ବିଷ ଦେଲା ପୁତୁରା । ବୃଦ୍ଧାଙ୍କ ଅଜାଣତରେ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଲୁଟି ନେଲା ପୁତୁରା । ବଲାଙ୍ଗୀରରେ ବୃଦ୍ଧାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ହଡ଼ ମାମଲାର ପର୍ଦ୍ଦାଫାସ କରିଛି ସାଇବର ପୋଲିସ । ଏହାସହ ଅଭିଯୁକ୍ତ ପୁତୁରା ଚିତ୍ତରଞ୍ଜନ ଧାରୁଆକୁ ଗିରଫ କରିଛି ପୋଲିସ ।

ଗତ ତିନି ତାରିଖରେ ବୃଦ୍ଧା ପୂର୍ଣ୍ଣ ଧାରୁଆଙ୍କ ଅଜାଣତରେ ସମ୍ପର୍କୀୟ ପୁତୁରା ଚିତରଞ୍ଜନ ଧାରୁଆ ଜାଲ ଟିପ ଚିହ୍ନ ଜରିଆରେ ଟଙ୍କା ହଡ଼ପ କରିଥିଲା I ଆକାଉଣ୍ଟରେ ଟଙ୍କା ନଥିବା ଜାଣିବା ପରେ ବୃଦ୍ଧା ଜଣକ ଗତ ୧୧ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ବୃଦ୍ଧାଙ୍କର ପୁତୁରା ହିଁ ଟଙ୍କା ହଡ଼ପ କରିଥିବା ତଦନ୍ତ କରି ସାଇବର ପୋଲିସ ଜାଣିବାକୁ ପାଇଥିଲା । ବୃଦ୍ଧାଙ୍କ ବିଶ୍ବାସର ଫାଇଦା ଉଠାଇ ଅଭିଯୁକ୍ତ ଚିତରଞ୍ଜନ ଧାରୁଆ ଟଙ୍କା ଲୁଟ୍ କରିଥିଲା ।

ପୋଲିସ ସୂଚନା ଅନୁସାରେ, ଲୋୟର୍ ସୁକତେଲ ପ୍ରକଳ୍ପ ବିସ୍ଥାପନ ବାବଦ କ୍ଷତିପୂରଣ ଟଙ୍କା ପାଇଁ ବୃଦ୍ଧାଙ୍କୁ ନେଇ ଅଭିଯୁକ୍ତ ଚୁଡାପଲି ବ୍ୟାଙ୍କରେ ନୂତନ ଆକାଉଣ୍ଟ ଖୋଲିଥିଲା । କ୍ଷତିପୂରଣ ରାଶି ଆସିବା ପରେ ଆକାଉଣ୍ଟକୁ ଚୁଡ଼ାପଲ୍ଲୀରୁ କଣ୍ଟାବାଞ୍ଜିକୁ ସ୍ଥାନାନ୍ତରିତ କରିଥିଲା । ଟଙ୍କା ଉଠାଇବା ପାଇଁ ଅଭିଯୁକ୍ତ ବାରମ୍ବାର ଉଦ୍ଯମ କରି ବିଫଳ ହୋଇଥିଲା । ପରେ ନିଜ ଶାଶୂଙ୍କୁ ବୃଦ୍ଧା ପୂର୍ଣ୍ଣ ଧାରୁଆ ସଜାଇ ଜାଲ ଟିପଚିହ୍ନରେ ୫ ଲକ୍ଷ ଟଙ୍କା ହଡ଼ପ କରିଥିଲା । ଏହାପରେ ଗାଁରେ ନରହି ବଲାଙ୍ଗୀର ସୁଦପଡାରେ ଥିବା ଶ୍ୱଶୁର ଘରେ ରହୁଥିଲା I ଅଭିଯୁକ୍ତଠାରୁ ପୋଲିସ ଗୋଟିଏ ବାଇକ , ସିମକାର୍ଡ, ନକଲି ଆଧାର କାର୍ଡ ଜବତ କରିଛି I