ବର୍ଷ ଶେଷରେ ଯୁଦ୍ଧକାଳୀନ ଭିତ୍ତିରେ ଭ୍ୟାକ୍ସିନକୁ ମିଳିବ ଅନୁମତି: ଏମ୍ସ୍ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭ୍ୟାକ୍ସିନ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଭାରତ ଟିକାକରଣ ନେଇ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି କରୁଛି । କିଭଳି ଭାବେ ସରଳ ଓ ସମୟ ଉପଯୋଗୀ ବିତରଣ ହୋଇପାରିବ, ସରକାର ସେ ଉପରେ ଧ୍ୟାନ ଦେଉଛନ୍ତି । ଏଇ ମଧ୍ୟରେ ଏମ୍ସ ନିର୍ଦ୍ଦେଶକଙ୍କର ବୟାନ ଆସିଛି । ସେ କହିଛନ୍ତି ଯେ, ଭାରତରେ ଭ୍ୟାକ୍ସିନ ପରୀକ୍ଷଣ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଣୁ ଖୁବ୍ ଶୀଘ୍ର ଭ୍ୟାକ୍ସିନ ବ୍ୟବହାର ଉପଯୋଗୀ ହୋଇଯିବ । ତେଣୁ ଚଳିତ ମାସରେ ଶେଷ ସୁଦ୍ଧା କିମ୍ୱା ଆସନ୍ତା ବର୍ଷ ଆରମ୍ଭରୁ ହିଁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ପାଇଁ ଅନୁମତି ମିଳିଯିବ ।

ଏମ୍ସ ନିର୍ଦ୍ଦେଶକ ରଣଦୀପ୍ ଗୁଲେରିୟା କହିଛନ୍ତି ଯେ, ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ଆଦର୍ଶ ସମୟ ଆମ ପାଖେ ନାହିଁ । ତେଣୁ ଆମେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଶେଷ କରିବାକୁ ପ୍ରଚେଷ୍ଟା କରିଛୁ । ସେହିଭଳି ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଏହାର ବିତରଣ ପାଇଁ ପ୍ରସ୍ତୁତି ଶେଷ କରିଥିବା ନିଜ ପକ୍ଷରୁ ଉଲ୍ଲେଖ କରିସାରିଛନ୍ତି । କୋଲ୍ଡ ଷ୍ଟୋରେଜ୍, ଭ୍ୟାକ୍ସିନେସନ ଟ୍ରେନିଂ, ଟିକା ବିତରଣ ଶୃଙ୍ଖଳ ତିଆରି କରିବା ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରେ ଆହ୍ୱାନ ହୋଇଥିଲେ ମଧ୍ୟ ଏହା ପରେ ଯଥାସମ୍ଭବ ଗୁରୁତ୍ୱ ଦିଆଯାଉଛି ।

ତେବେ ବ୍ୟସ୍ତତା ମଧ୍ୟରେ ପ୍ରସ୍ତୁତି ହେଉଥିବା ଟିକାର ମାନ ଓ ଏହାକୁ ନେଇ ସୃଷି ହେଉଥିବା ଅସୁରକ୍ଷିତ ମନୋଭାବ ଉପରେ ମଧ୍ୟ ନିର୍ଦ୍ଦେଶକ ଖୋଲା ମନ୍ତବ୍ୟ ରଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ମାନ ଓ ଜନସୁରକ୍ଷା ସହ ଆମେ ଆଦୌ ସାଲିସ କରିନାହୁଁ । ସେହିଭଳି ମାନବ ପରୀକ୍ଷଣ ପରେ, ପରୀକ୍ଷଣରୁ ମିଳିଥିବା ତଥ୍ୟ ଆମ ପାଇଁ ସନ୍ତୋଷଜନକ ଅଟେ । ଏଭଳି ତଥ୍ୟ ଆମକୁ ସ୍ପଷ୍ଟ କରୁଛିୁ ଯେ ଭ୍ୟାକ୍ସିନ ନେଇ କୌଣସି ଗୁରୁତର ସମସ୍ୟା ନାହିଁ । ୭୦ରୁ ୮୦ ହଜାର ସେଚ୍ଛାସେବୀଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଥିଲା । ଏମାନଙ୍କ ମଧ୍ୟରେ କୌଣସି ସମସ୍ୟା ଦେଖିବାକୁ ମିଳିନାହିଁ, ଯାହା ଆମମାନଙ୍କ ପାଇଁ ଏକ ବଡ଼ ସଫଳତା ।

Leave a Reply