ଓମିକ୍ରନର ନୂଆ ଉପ ପ୍ରଜାତି ଯୋଗୁଁ ହଟ୍‌ସ୍ପଟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର: ଓମିକ୍ରନର ନୂଆ ଉପ ପ୍ରଜାତିକୁ ନେଇ ବଢ଼ିଲା ଚିନ୍ତା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ଶତାଧିକ ସଂକ୍ରମିତ । ଏଥିପାଇଁ ଓମିକ୍ରନର ୨ଟି ସବ ଭାରିଆଣ୍ଟ ଦାୟୀ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ଦୁଇ ସବ ଭାରିଆଣ୍ଟ ପାଇଁ ଏବେ କରୋନା ହଟସ୍ପଟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା । ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ ଭୁବନେଶ୍ୱର ପକ୍ଷରୁ ଗତ ସପ୍ତାହରେ ୪୦ଟି ନମୁନାର ସିକ୍ୱେନ୍ସିଂ କରାଯାଇଥିବା ବେଳେ, ସେଥିରୁ କିଛି ନମୁନାରୁ ଓମିକ୍ରନ ସବ ଭାରିଆଣ୍ଟ ବିଏ ୨୩.୮ ଏବଂ ବିଏ ୨.୭୩ ଚିହ୍ନଟ ହୋଇଛି ।

ଖୋର୍ଦ୍ଧା ଓ କଟକରୁ ଆସିଥିବା ପଜିଟିଭ ନମୁନାରୁ ଏହି ସବ୍ ଭାରିଆଣ୍ଟ ଚିହ୍ନଟ ହୋଇଥବା ଜଣାପଡ଼ିଛି । ତିନି ସପ୍ତାହରୁ କମ ସମୟ ଭିତରେ ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ୩୦୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କଟକରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି । ତେବେ ୟୁରୋପ ଏବଂ ଆମେରିକାର ବହୁଳ ଭାବେ ଦେଖା ଦେଉଥିବା ବିଏ ୪ ଓ ବିଏ ୫ ଭାରିଆଣ୍ଟ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ।

ରାଜ୍ୟରେ ସଂକ୍ରମଣ ଉପରମୁହାଁ ଥିବାରୁ ଚଳିତ ସପ୍ତାହରୁ ୩୦୦ ନମୁନାର ସିକ୍ୱେନ୍ସିଂ ପାଇଁ ଆଇଏଲଏସ ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେଠାରୁ ଅଧିକ ସଂଖ୍ୟକ ନମୁନା ସଂଗ୍ରହ କରି ଜିନୋମ ସିକ୍ୱେନ୍ସିଂ କରାଯିବ । ରାଜ୍ୟରେ କୋଭିଡ ସ୍ଥିତି ଖରାପ ହେଲାଣି, ତେଣୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜରେ ସ୍ୱତନ୍ତ୍ର କୋଭିଡ ଓ୍ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଇସିୟୁ ସହିତ ୨୦ ଶଯ୍ୟା ପ୍ରସ୍ତୁତ ରହିବ ।