spot_img

Latest Posts

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହେଲା ‘ପ୍ଯାରିସ ଅଲିମ୍ପିକ୍ସ’

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ଯାରିସ୍ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ଅନୁଷ୍ଠିତ। ଫ୍ରାନସ ରାଜଧାନୀ ପ୍ୟାରିସରେ ଆରମ୍ଭ ହେଉଛି କ୍ରୀଡ଼ାର ଏହି ମହାକୁମ୍ଭ। ଅଲିମ୍ପିକସ ଇତିହାସରେ ପ୍ରଥମଥର ଉଦଘାଟନୀ ଉତ୍ସବ ଷ୍ଟାଡିୟମ୍‌ରେ ନୁହେଁ ବରଂ ନଦୀ କୂଳରେ ଅନୁଷ୍ଠିତ ହୋଇଛି। ପ୍ୟାରିସ୍ ସହର ମଧ୍ୟ ଦେଇ ବହିଯାଇଥିବା ସେନ ନଦୀରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ। ନଦୀରେ ୮୦ରୁ ୧୦୦ ନୌକାରେ କ୍ରୀଡ଼ାବିତଙ୍କ ପରେଡ୍‌ ହେବ। ୨୦୬ଟି ପ୍ରତିଯୋଗୀ ଦେଶଙ୍କ ପ୍ରତିନିଧି ସୁସଜ୍ଜିତ ନୌକାରେ ସହର ପରିକ୍ରମା କରିବେ। ନଦୀର ଉଭୟ ପାର୍ଶ୍ବରେ ରହି ପ୍ୟାରିସ୍‌ବାସୀ କ୍ରୀଡ଼ାବିତଙ୍କ ଏହି ଅଭିନବ ଯାତ୍ରା ଦେଖିବେ। ସେନ ନଦୀରେ ପ୍ରାୟ ୬ କିଲୋମିଟର ଯାତ୍ରା କରିବେ କ୍ରୀଡାବିତ। ଏଫିଲ୍ ଟାୱର ନିକଟସ୍ଥ ପଣ୍ଟ୍ ଡି ଲୋନା ନିକଟରେ ପ୍ରତିଯୋଗୀଙ୍କର ଏହି ନୌକା ଯାତ୍ରା ସମ୍ପନ୍ନ ହେବ। ଏଇଫିଲ୍‌ ଟାୱର ନିକଟରେ ଥିବା ଚାମ୍ପିଅନ୍‌ ପାର୍କକୁ ଏକ ଅସ୍ଥାୟୀ ଷ୍ଟାଡିୟମରେ ପରିଣତ କରାଯାଇଛି। ଏହି ଷ୍ଟାଡିୟମ୍‌ରେ ପ୍ୟାରିସ୍‌ ଅଲିମ୍ପିକସ ଉଦ୍ଘାଟନୀ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ତେବେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଅଲିମ୍ପିକ୍‌ସର ଶୁଭାରମ୍ଭ କରିବେ। ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ୩ ହଜାରରୁ ଅଧିକ କଳାକାର ନୃତ୍ୟ, ସଂଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବେ। ଦର୍ଶକ ଯେପରି ଉଦ୍‌ଘାଟନୀ ଉତ୍ସବ ଦେଖିପାରିବେ ସେଥିପାଇଁ ସାରା ସହରରେ ୮ଟି ବଡ଼ ପରଦା ଲଗାଯାଇଛି। ନୌକାଯାତ୍ରାର ଆରମ୍ଭରୁ ଉଦ୍‌ଘାଟନୀ ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଦ୍‌ଘାଟନୀ ଉତ୍ସବ ଭାରତୀୟ ସମୟ ରାତି ୧୧ଟାରୁ ଆରମ୍ଭ ହୋଇ ପାଖାପାଖି ୪ ଘଣ୍ଟା ଧରି ଚାଲିବ।

Latest Posts

Don't Miss